ସୀମା ଟପିଲେ ଦୁଷ୍କର୍ମକାରୀଙ୍କ ସମ୍ପର୍କୀୟ । ପୀଡିତାଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଥିବା ଅଭିଯୋଗ

146

କନକ ବ୍ୟୁରୋ: ନୟାଗଡ ରଣପୁରରେ ଜଣେ ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ଖୁଣ୍ଟରେ ବାନ୍ଧି ମାଡ ମାରିଛନ୍ତି ଦୁଷ୍କର୍ମକାରୀଙ୍କ ସମ୍ପର୍କୀୟ । କେବଳ ଏତିକି ନୁହେଁ ପୀଡିତାଙ୍କ ମାଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ । ଯାହାକି ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଷ୍କର୍ମ ପୀଡିତା ନାବାଳିକାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଛନ୍ତି ଦୁଷ୍କର୍ମକାରୀଙ୍କ ସମ୍ପର୍କୀୟ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ନୟାଗଡର ରଣପୁର ଥାନା ହିଞ୍ଜିଳିଗାଡିଆ ଗାଁରୁ । କନକ ନ୍ୟୁଜ୍ ହାତରେ ସେହି ସମୟର ଏକ ଫଟୋ ଲାଗିଛି । କିନ୍ତୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଆମେ ସେହି ଫଟୋଟିକୁ ଆପଣଙ୍କୁ ଦେଖାଇ ପାରିବୁ ନାହୁଁ ।

ଅଭିଯୋଗ ଅନୁସାରେ, ହିଞ୍ଜିଳଗାଡିଆ ଗାଁର ତପନ ପରିଡାଙ୍କ ପୁଅ ବାବୁ ୩ ମାସ ତଳେ ଜଣେ ନାବାଳିକାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଏନେଇ ପୀଡିତାଙ୍କ ପରିବାର ସ୍ଥାନୀୟ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଜଣାଇଥିଲେ । ହେଲେ ସେତେବେଳେ ମାମଲାର ସମାଧାନ କରାଯିବ କହି ପଞ୍ଚାୟତ ନିର୍ବାଚନ ଆଳରେ ସମୟ ଗଡାଇ ଚାଲିଥିଲେ ।

ନିର୍ବାଚନ ଶେଷ ହେବା ପରେ ଅଭିଯୋଗର ବିଚାର କରିବା ପାଇଁ କହିବାରୁ ପୀଡିତଙ୍କ ପରିବାର କଥା କେହି ଶୁଣିନଥିଲେ । ଶେଷରେ ନିରୁପାୟ ହୋଇ ପୀଡିତା ପରିବାର ଥାନାରେ ଅଭିଯୋଗ କରିବାକୁ ବାହାରିଥିଲେ । ଏହି ସମୟରେ ସେହି ଗାଁର ସୌଭାଗ୍ୟ ବେହେରା ଓରଫ ବାବାଜି, କୈଳାସ ପରିଡା, ରବି ପରିଡା, ସିପୁ ତୋଟାଳଳ, ବନମାଳୀ, ଅଶାନ୍ତି ପରିଡା, ସଞ୍ଜୁ ପରିଡା ପ୍ରମୁଖ ମିଶି ନାବାଳିକାଙ୍କୁ ଦାଣ୍ଡ ଦୁଆରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପକାଇ ନିସ୍ତୁକ ପିଟିଥିଲେ । ପୀଡିତାଙ୍କ ମାଆଙ୍କୁ ମଧ୍ୟ କିଛି ମହିଳା ମିଶି ମାରଧର କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଜଣ ପୁରୁଷ ଓ ୫ଜଣ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ ।

ସବୁଠୁ ଲଜ୍ଜାଜନକ କଥା ହେଉଛି, ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତର ଦୋଷକୁ ଲୁଚାଇବା ପାଇଁ ପୀଡିତାଙ୍କୁ ମାଡ ମାରିଥିଲେ ଏହି ଅସାମାଜିକ । ଯେଉଁଥିରେ ସହାୟତା କରିଥିଲେ କିଛି ମହିଳା । ତେବେ ପ୍ରଶ୍ନ ଉଠୁଛି, ଜଣେ ନାବାଳିକାକୁ ଏଭଳି ନିର୍ଯାତନା ଦେବା ପାଇଁ ଅଭିଯୁକ୍ତମାନଙ୍କୁ ଅଧିକାର ଦେଲା କିଏ? ସେମାନଙ୍କ ବିରୋଧରେ ପକ୍ସୋ ଆଇନ ଅନୁସାରେ ଦଣ୍ଡ ବିଧାନ ହେବାର ଆବଶ୍ୟକତା ରହିଛି କି ନାହିଁ?