ପିପିଲି ନିର୍ବାଚନ ପୂର୍ବରୁ ଲାଗିଲା ପ୍ରତିବାଦର ପୋଷ୍ଟର : ଫନି ସହାୟତା ମିଳିନଥିବାରୁ ଡ଼େଲାଙ୍ଗ ଚାଇଁପୁର ଗାଁରେ ନିଆରା ପ୍ରତିବାଦ

ଭୋଟ ପାଇଁ ନେତାଙ୍କୁ ଆସିବାକୁ ବାରଣ କଲେ ଗାଁଲୋକ

245

କନକ ବ୍ୟୁରୋ : ଘରର କାନ୍ଥରେ ଲାଗିଛି ପୋଷ୍ଟର । ପୋଷ୍ଟରରେ ଲେଖାଅଛି ଆମେ ଫନି କ୍ଷତିଗ୍ରସ୍ତ, ଏ ଭଙ୍ଗା କୁଡିଆ ଭିତରକୁ କୌଣସି ନେତା ନଆସିବାକୁ ଅନୁରୋଧ ମଧ୍ୟ କରାଯାଇଛି । ଏଭଳି ନିଆରା ପ୍ରତିବାଦ କରିଛନ୍ତି ଡେଲାଙ୍ଗ ବ୍ଲକ ଚାଇଁପୁର ପଂଚାୟତର ୭ ନମ୍ବର ୱାର୍ଡର ଲୋକେ । ଜଣେ କି ଦୁଇ ଜଣଙ୍କ ଘର ଆଗରେ ଏହି ପୋଷ୍ଟର ଲାଗିନି । ପୁରା ୱାର୍ଡର ବାସିନ୍ଧା ନିଜ ନିଜ ଘର ଆଗରେ ଏହି ପୋଷ୍ଟର ଲଗାଇଛନ୍ତି । ରାଜନେତା ଗାଁରେ ପଶିବାକୁ ମନା କରିଛନ୍ତି । ଏହି ୱାର୍ଡ ଲୋକଙ୍କୁ ଏପର୍ଯ୍ୟନ୍ତ ଫନି ଟଙ୍କା ମିଳିନାହିଁ ।

ଏପରିକି ଅନେକ ଲୋକଙ୍କ ବ୍ୟାଙ୍କ ଖାତା ହୋଲ୍ଡ ହୋଇ ପଡ଼ି ରହିଥିବା ବେଳେ ଅନ୍ୟ କିଛି ଗାଁର ବାସିନ୍ଧାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ଟଙ୍କାରୁ ବଂଚିତ ହୋଇଛନ୍ତି । ଯାହା ପାଇଁ ଏଭଳି ନିଆଳା ପ୍ରତିବାଦ ଆପଣେଇଛନ୍ତି ଏହି ୱାର୍ଡର ଲୋକେ । ସେଥିପାଇଁ ଗାଁରେ କୌଣସି ରାଜନେତାଙ୍କୁ ପୁରାଇ ଦିଆଯିବ ନାହିଁ ବୋଲି ଗାଁର ଲୋକେ ଘର ଆଗରେ ପୋଷ୍ଟର ଲଗାଇ ପ୍ରତିବାଦ କରିଛନ୍ତି । ଦିନ କେଇଟା ପରେ ପିପିଲି ଉପନିର୍ବାଚନ । ସବୁ ଆଡେ ଏବେ ନେତା ମନ୍ତ୍ରୀଙ୍କ ଭିଡ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ପ୍ରସାରରେ କମ୍ପୁଛି ନିର୍ବାଚନ ମୈଦାନ । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ନିଆରା ପ୍ରତିବାଦ ।