୨୮ ତାରିଖ ସୁଦ୍ଧା ଘୋଷଣା ହୋଇପାରେ କଂଗ୍ରେସ ପ୍ରାର୍ଥୀ ତାଲିକା । ଅପେକ୍ଷାରେ ଓଡି଼ଶାର କଂଗ୍ରେସ ନେତା ଓ କର୍ମୀ

118

କନକ ବ୍ୟୁରୋ: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ତାଲିକାରେ ୧୨ ରାଜ୍ୟର ୪୬ ପ୍ରାର୍ଥୀଙ୍କ ନାଁ ରହିଛି । କିନ୍ତୁ ତାଲିକାରେ ଓଡିଶାର କୌଣସି ଆସନ ପାଇଁ ନେତାଙ୍କ ନାଁ ଘୋଷଣା କରିନି ଦଳ । କୁହାଯାଉଥିଲା, ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ତାଲିକା ଉପରେ ବିଚାର କରି ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି । ଆଉ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶା ନେତାଙ୍କ ନାଁ ରହିବ । ହେଲେ, ସେମିତି କିଛି ହୋଇନାହିଁ । ଯାହା କଂଗ୍ରେସ ନେତାଙ୍କ ଉକ୍ରଣ୍ଠାକୁ ଆହୁରି ବଢ଼ାଇ ଦେଇଛି । ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପାଇଁ ସମୟ ଲାଗୁଛି ବୋଲି କହିଛନ୍ତି ବରିଷ୍ଠ ନେତା । ଏଥିସହ ଖୁବଶୀଘ୍ର ପାର୍ଥୀ ତାଲିକା ଆସିବ ବୋଲି କହିଛନ୍ତି ନେତା ।

  • ୨୮ରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା!
  • ଅପେକ୍ଷାରେ ଓଡି଼ଶା କଂଗ୍ରେସ ନେତା ଓ କର୍ମୀ

କଂଗ୍ରେସ ନେତା ଯାହା କହିଲେ ବି, ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ବିଜେପି ଓ ବିଜେପି ପ୍ରାର୍ଥୀ ଘୋଷଣାକୁ କଂଗ୍ରେସ ଅପେକ୍ଷା କରିଥାଇପାରେ ବୋଲି ଆକଳନ କରିଛନ୍ତି । ଏପରିକି ବିଜେଡି ବିଜେପି କେଉଁ ଲୋକସଭାରୁ ଆସନରୁ କାହାକୁ ଓ କେଉଁ ବିଧାନସଭା ଆସନରୁ କାହାକୁ, ଟିକେଟ ଦେଉଛନ୍ତି ତା ଉପରେ ମଧ୍ୟ କଂଗ୍ରେସ ନଜର ରଖିଥିବା କୁହାଯାଉଛି ।

ଯଦିଓ ମାସ ଶେଷ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଯିବ ବୋଲି କଂଗ୍ରେସର ବରିଷ୍ଠ ନେତା କହୁଛନ୍ତି, ତଥାପି ମିଳିଥିବା ସୂଚନା ଅନୁସାରେ, ଯେ ପର୍ଯ୍ୟନ୍ତ ବିଜେଡି- ବିଜେପି ଦଳ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ସେପର୍ଯ୍ୟନ୍ତ ଓଡିଶା ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିନପାରେ ।