ଗାଁକୁ ନାହିଁ ମୌଳିକ ସୁବିଧା । ମୌଳିକ ସୁବିଧା ନଥିବାରୁ ଭୋଟ ନଦେବାକୁ ଅର୍ଜୁନୀ ଗ୍ରାମବାସୀଙ୍କ ନିଷ୍ପତି । ନେତାଙ୍କୁ ଅଧାବାଟରୁ ଫେରାଇ ଦେବାକୁ ଚେତାବନୀ ।

55

କନକବ୍ୟୁରୋ: ଅଭିଶପ୍ତ ଗାଁ ଅର୍ଜୁନୀ । ଗାଁକୁ ନା ଅଛି ରାସ୍ତା,ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ । ଗ୍ରାମବାସୀଙ୍କ ପାଇଁ ସରକାରୀ ସୁବିଧା ଅପହଂଚ । ଗାଁରେ ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ କରିବେ ବୋଲି ଦେଇଛନ୍ତି ଚେତାବନୀ । ଆସନ୍ତୁ ପରଖିବା ଅଭିଶପ୍ତ ଅର୍ଜୁନୀ ଗାଁର ବିକଳ ଚିତ୍ର । ଗହୀର ମଝିରେ ଗାଁ । ବ୍ଲକ ଅଫିସର ଠାରୁ ଦୂରତା ମାତ୍ର ୩ କିଲୋମିଟର । କିନ୍ତୁ ଏଠିକୁ ରାସ୍ତା ନାହିଁ କି ପିଇବାକୁ ବିଶୁଦ୍ଧ ପାଣି ମୁନ୍ଦେ ମିଳୁନାହିଁ । ମାଟି ରାସ୍ତାରେ ଯାଇ ଗାଁରେ ପହଂଚିଲେ ଆପଣମାନେ ଦେଖିବେ ଖାଲି ଭଙ୍ଗା ଦଦରା କୁଡ଼ିଆ ଘର । ଗୋଟିଏ ବି ପକ୍କାଘର ଗ୍ରାମବାସୀଙ୍କ ଭାଗରେ ପଡ଼ିନାହିଁ । ତେଣୁ ଅଭିଶପ୍ତ ଜୀବନ ବିତାଉଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତର ଅର୍ଜୁନୀ ଗାଁ । ଗାଁ ଠାରୁ ୨ରୁ ୩ କିଲୋମିଟର ଦୂରରେ ରହିଛି ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ।

ତେଣୁ ସବୁ ପିଲା ନୀରକ୍ଷର ୨ ବର୍ଷ ତଳେ ସୋଲାର ମାଧ୍ୟମରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା, ବର୍ଷେ ପରେ ଅଚଳ! ଏକମାତ୍ର ନଳକୂପରୁ ବାହାରୁଥିବା ଦୁର୍ଗନ୍ଧ ପାଣି ପିଉଛନ୍ତି ଗ୍ରାମବାସୀ । ସ୍ଥାୟୀ ରାସ୍ତା ନଥିବାରୁ ବିଲ ହୁଡାରେ ଯାତାୟତ କରୁଛନ୍ତି ଗ୍ରାମବାସୀ, ରୋଗୀ ଡାକ୍ତରଖାନା ଯିବାକୁ ଖଟିଆ ଭରସା । ନିର୍ବାଚନ ବ୍ୟତିତ୍ ଅନ୍ୟ କୌଣସି ସମୟରେ ପ୍ରଶାସନିକ ବାବୁ ଓ ନେତା ମନ୍ତ୍ରୀଙ୍କ ପାଦ ପଡ଼େନି ଗାଁରେ ।

ବିପିଏଲ ତାଲିକାଭୁକ୍ତ ଗ୍ରାମବାସୀଙ୍କ ମଧ୍ୟରେ ମାତ୍ର ଜଣଙ୍କୁ ସରକାରୀ ଆବସ ମିଳିଛି । ତାହା ପୁଣି ଅସମ୍ପୁର୍ଣ୍ଣ, ଠିକାଦାର ଛାତ ପକାଇ ଚମ୍ପଟ ମାରିଛି । ତେଣୁ ନୁଆଣିଆ ଭଙ୍ଗା କୁଡିଆରେ ରହୁଥିବା ଲୋକ ଚାଷ କରି ପରିବାର ପ୍ରତି ପୋଷଣ କରନ୍ତି । ବର୍ଷ ବର୍ଷ ଧରି ସର୍ବନିମ୍ନ ଆବଶ୍ୟକତା ପୁରୁଣ ହେଉନଥିବାରୁ ଗଣତନ୍ତ୍ରର ମତଦାନ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ପ୍ରଚାର ପାଇଁ ଗାଁକୁ ଆସୁଥିବା ନେତାଙ୍କୁ ଅଧାବାଟରୁ ଫେରାଇ ଦେବାକୁ ନିଷ୍ପତି ନେଇଛନ୍ତି ।