ବଣାଇ ସଭାରେ ବି ନିଶାନା କଲେ ପାଣ୍ଡିଆନ । କହିଲେ ମାଗଣା ବିଜୁଳି କଥା ଶୁଣି ବିରୋଧୀଙ୍କୁ ଝଟକା ଲାଗିଛି ।

92

କନକ ବ୍ୟୁରୋ: ବଣାଇରେ ବରିଷ୍ଠ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ପ୍ରଚାର । ସଭା ମଞ୍ଚରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ ବିରୋଧୀଙ୍କୁ କଲେ ଟାର୍ଗେଟ୍ । ତେବେ ଅଭିଭାଷଣ ପୂର୍ବରୁ ବଣାଇ ସଭା କେମିତି ଚାଲିଛି ବୋଲି ଫୋନ୍ କରି ନବୀନ ପଚାରି ବୁଝିଥିବା ସମବେତ ଜନତାଙ୍କୁ ଜଣାଇଥିଲେ ପାଣ୍ଡିଆନ ।

ତେବେ ଆଉ କାହାକୁ ଆପଣ ମୁଖ୍ୟମନ୍ତ୍ରୀ ଭାବେ ଦେଖିବେ କି ? ବୋଲି ପ୍ରଶ୍ନ କରିବା ସହ ଜୁନ ୯ରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଶପଥ ଗ୍ରହଣ କରିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଦସ୍ତଖତ କରି ବିଜୁଳି ବିଲକୁ ରଦ୍ଦ କରିବେ ମୁଖ୍ୟମନ୍ତ୍ରୀ । ଯାହା ୯୦ ପ୍ରତିଶତ ପରିବାର ପାଇଁ ସହାୟ ହେବ । ଆଉ ଏହି ମାଗଣା ବିଜୁଳି କଥା ଶୁଣିଲା ପରେ ବିରୋଧୀଙ୍କୁ ଝଟକା ଲାଗିଛି ।

ବିଜେପି ଇସ୍ତାହାରରେ ରଖିଛି ସାରା ଭାରତରେ ୧ କୋଟି ଘରକୁ ସୋଲାର ଶକ୍ତି ଦେବ । ସୋଲାର ପେନାଲ ଲାଗିବା ପରେ ଯାଇ ମାଗଣା ବିଜୁଳି ମିଳିବ । ଏହା ସ୍କିମ ଜରିଆରେ ବିଜେପି ଜୁମଲା କରୁଥିବା ପାଣ୍ଡିଆନ କହିଛନ୍ତି । କିନ୍ତୁ ନବୀନ ବାବୁ ସେମିତି ନୁହଁନ୍ତି । ଆପଣଙ୍କ ଘରେ ଯେଉଁ ବିଜୁଳି ଚାଲିଛି ତାକୁ ବିଜେଡି ସରକାର ବହନ କରିବ । ଆଉ ଜୁନ ୯ରେ ଆପଣଙ୍କ ମୁହଁରେ ହସ ଫୁଟିବ ।

ବଣାଇ ସଭାରୁ ବି ପ୍ରଧାନମନ୍ତ୍ରୀଙ୍କ ଭାଷଣର ଜବାବ ରଖିଛନ୍ତି ପାଣ୍ଡିଆନ । କଣ ପାଇଁ ଆପଣ ୧୦ ବର୍ଷ ହେଲା ଧାନର ଏମଏସପି ୩୧୦୦ ଟଙ୍କା କଲେ ନାହିଁ ? ଭୋଟ୍ ବେଳେ କାହିଁକି ଚାଷୀଙ୍କ କଥା ମନେ ପଡିଲା ? ୧୦ ବର୍ଷ ହେଲା ବିଜେପି ଚାଷୀଙ୍କ ପାଇଁ କିଛି କଲାନି ଏବଂ ନିର୍ବାଚନ ହାରିବା ଭୟରେ ଚାଷୀ କଥା ମନେ ପଡିଲା ବୋଲି ସିଧା ନିଶାନା କରିଛନ୍ତି ପାଣ୍ଡିଆନ ।

ଆୟୁଷ୍ମାନ ଭାରତରେ ସାରା ଭାରତ ପାଇଁ ୬୦୦୦ କୋଟି ବର୍ଷକୁ ଖର୍ଚ୍ଚ କରୁଛନ୍ତି, ଓଡିଶା ଭାଗରେ ୩୦୦ କୋଟି ପଡିବ କିନ୍ତୁ ନବୀନ ବାବୁ ପ୍ରତି ମାସରେ ୩୦୦ କୋଟି ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । ଏବେବି ଡବଲ ଇଞ୍ଜିନ ସରକାର ୩୦୦ ଟଙ୍କା ଭତ୍ତା ଦେଉଛନ୍ତି । କିନ୍ତୁ ଆମ ଓଡିଶାରେ ନବୀନ ବାବୁ ୧୦୦୦ ଟଙ୍କା ଭତ୍ତା ଦେଉଛନ୍ତି ବୋଲି ଏକ ତୁଳନାତ୍ମକ ତଥ୍ୟ ଜନତାଙ୍କୁ ଦେଇ ବିଜେଡି ପାଇଁ ଭୋଟ୍ ଅପିଲ କଲେ ପାଣ୍ଡିଆନ ।

ସେପଟେ କୌଣସି କେନ୍ଦ୍ରମନ୍ତ୍ରୀ କିମ୍ବା କୌଣସି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ବିକାଶ କାମର ହିସାବ ଦିଅନ୍ତିନି ମାତ୍ର ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ହିସାବ ଦିଅନ୍ତି । ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ପୋଲିସ କେସ୍ ରଦ୍ଦ କରିଛନ୍ତି ନବୀନ ବାବୁ ଯାହା କୌଣସି ରାଜ୍ୟ କରିନି । ବଣାଇ ସଭାରେ ବିଜେପି ସାଂସଦ ଜୁଏଲ ଓରାମଙ୍କୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । ୨୦ ବର୍ଷ ହେବ ଏମପିଙ୍କୁ ସୁଯୋଗ ଦେଲେ ହେଲେ ସେ କିଛି କଲେ କି ବୋଲି ପ୍ରଶ୍ନ କରି ଏଥର ବିଜେଡିକୁ ସୁଯୋଗ ଦେବାକୁ ଅପିଲ୍ କରିଛନ୍ତି ।