ଚର୍ଚ୍ଚାରେ କଳାହାଣ୍ଡି ସାଲେଭଟାର ଛେଳି ବ୍ୟାଙ୍କ । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି ଉଚ୍ଚଶିକ୍ଷିତ ଦମ୍ପତି

52

କନକ ବ୍ୟୁରୋ : କଳାହାଣ୍ଡି ଭବାନୀପାଟଣାରୁ ୩୫ କିଲୋମିଟର ଦୂରରେ ଥିବା ନିପଟ ମଫସଲ ଗାଁ ହେଉଛି ସାଲେଭଟା । ଯେଉଁଠି ୫ ଏକର ଜମିରେ ପ୍ରତିଷ୍ଠା ହୋଇଛି ଛେଳି ବ୍ୟାଙ୍କ । କଳାହାଣ୍ଡିରେ ଦାଦନ ସମସ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଏହାକୁ ଦୂର କରିବା ପାଇଁ ଏକ ଛେଳି ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ଉଚ୍ଚଶିକ୍ଷିତ ଦମ୍ପତି ବୀରେନ୍ ସାହୁ ଓ ଜୟନ୍ତୀ ମହାପାତ୍ର । ଯେଉଁଥିରେ ୨୦ ଜଣ ଯୁବକ ଓ ଯୁବତୀ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଛେଳି ବ୍ୟାଙ୍କ ଜରିଆରେ ଆଖପାଖ ଅଂଚଳର ୪୦ଟି ଗାଁର ଚାଷୀ ଯୋଡ଼ି ହୋଇଛନ୍ତି । ୧ ହଜାର ଚାଷୀଙ୍କୁ ୨ ହଜାର ମାଇ ଛେଳି ମାଗଣାରେ ଚାଷ ପାଇଁ ଦିଆଯାଇଛି । ସେଥିରୁ ଛୁଆ ଜନ୍ମ ହେବା ପରେ ୫୦ ପ୍ରତିଶତ ଚାଷୀ ରଖିବା ସହ ଆଉ ୫୦ ପ୍ରତିଶତ ଛେଳିକୁ ଫାର୍ମକୁ ଦେବାର ନିୟମ ରହିଛି । ଏହାଦ୍ୱାରା ସ୍ଥାନୀୟ ଅଂଚଳର ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି । ପୂର୍ବରୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରୁଥିଲେ ଜୟନ୍ତୀ । ତେଣୁ କୃଷି କ୍ଷେତ୍ରରେ କିଭଳି ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଯୋଡ଼ିବେ, ସେଭଳି କିଛି ଚିନ୍ତା କରି ସେ କାମ ଆରମ୍ଭ କରିଥିଲେ । ଅଳ୍ପ ଖର୍ଚ୍ଚରେ ଏହି ଚାଷରୁ ଅଧିକ ଲାଭ ମିଳୁଥିବାରୁ ଏହି କାମକୁ ବାଛିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବୀରେନ ଓ ଜୟନ୍ତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ଯାହା ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଛି ।

ଛେଳି ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖାରଖା କରିବା ପାଇଁ ୪ ଜଣ ପ୍ରାଣୀ ଚିକିତ୍ସକଙ୍କୁ ନିୟୋଜିତ କରାଯାଇଛି । ଛେଳି ଖାଦ୍ୟ ପାଇଁ ସେହି ଫାର୍ମକୁ ଲାଗି ୪ ପ୍ରକାରର ଘାସ ଚାଷ ହୋଇଛି । ଯେଉଁଥିରୁ ଛେଳିମାନେ ଖାଦ୍ୟ ପାଇଥାଆନ୍ତି । ଛେଳି ବିକ୍ରି କରିବା ସହ ଖତ ପ୍ରସ୍ତୁତ କରି ମାର୍କେଟିଂ ବ୍ୟବସ୍ଥା ହୋଇଛି । ଜୟନ୍ତିଙ୍କ ଏହି ଫାର୍ମ କେବଳ ଓଡ଼ିଶାରେ ସୀମିତ ନାହିଁ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରି ବିଭିନ୍ନ ରାଜ୍ୟକୁ ତାଙ୍କ ଫାର୍ମରୁ ପ୍ରସ୍ତୁତ ଖତ ରପ୍ତାନୀ ହେଉଛି । ଆଗକୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଛେଳି କ୍ଷୀରର ବହୁଳ ବ୍ୟବହାର ସହ ଗୋବର ଖତର ବିକ୍ରି ବଢ଼ାଇବାକୁ ସେ ଯୋଜନା କରିଛନ୍ତି ।

୨୦୧୫ରୁ ଆରମ୍ଭ ହୋଇଥିବା ଏହି ଗୋଟ୍ ବ୍ୟାଙ୍କ ଜୟନ୍ତୀଙ୍କୁ ଦେଇଛି ଆଶାନୁରୂପକ ସଫଳତା । ସବୁଦିଗରୁ ଦେଖିଲେ ଏହି ଉଦ୍ୟୋଗରୁ ବାର୍ଷିକ କୋଟିଏରୁ ଅଧିକ ଟଙ୍କାର ବ୍ୟବସାୟ ହେଉଛି । ଯାହାଦ୍ୱାରା ସେ ନିଜେ ଲାଭବାନ ହେବା ସହ ଅନ୍ୟମାନେ ମଧ୍ୟ ଉପକୃତ ହୋଇପାରୁଛନ୍ତି ।