ଲୋପ ପାଇଯିବ ଲିମ୍ବଗଛ! ବ୍ୟାପୁଛି ଟି ମସ୍କିଟୋ ବଗ୍

328

କନକ ବ୍ୟୁରୋ: ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ତୁଲାଉଥିବା ଓ ବିଭିନ୍ନ ରୋଗରୁ ମଣିଷକୁ ମୁକ୍ତ କରୁଥିବା ଲିମ୍ବ ଗଛ ଏବେ ନିଜେ ରୋଗ କବଳରେ । ଏହି ବୃକ୍ଷର ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥିବାରୁ ଦୈନନ୍ଦିନ ଜୀବନରେ ଲିମ୍ବ ଗଛର ବହୁଳ ବ୍ୟବହାର ଆମେ କରିଥାନ୍ତି । ହେଲେ ଏବେ ଏହି ଲିମ୍ବ ଗଛ ପାଇଁ ବିପଦ ସାଜିଛି ଟି ମସ୍କିଟୋ ବଗ । ଆପଣଙ୍କ ଆଖପାଖରେ ଥିବା ଗଛମାନଙ୍କ ଉପରେ ଥରେ ନଜର ପକାନ୍ତୁ ।

ଅନ୍ୟ ସମସ୍ତ ଗଛ ଗୁଡିକ ସତେଜ ଥିବ ଏବଂ ସବୁ ଗଛ ଗୁଡିକ ସବୁଜ ପତ୍ରରେ ଭରପୁର ଥିବ । ହେଲେ ସେହି ପାଖରେ ଥିବା ଲିମ୍ବଗଛ ସମ୍ପୂର୍ଣ୍ଣପୋଡି ଯାଇଥିବା ଭଳି ଦେଖା ଯାଉଥିବ । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଥିବା ଲିମ୍ବ ଗଛର ଏଭଳି ଚିତ୍ର ଦେଖିବାକୁ ମିଳୁଛି । କୀଟ ଆକ୍ରମଣରେ ଏହି ଗଛ ଗୁଡିକ କିଭଳି ମୃତପ୍ରାୟ । ଟି ମସ୍କିଟୋ ବଗ ହେଉଛି ଗଛକୁ ନଷ୍ଟ କରୁଥିବା ଏକ କୀଟ । ଏହି କୀଟ ବିଶେଷ କରି ଲିମ୍ବ ଓ କାଜୁ ଗଛ ଗୁଡିକୁ ସଂକ୍ରମିତ କରିଥାନ୍ତି ଓ ଗଛକୁ ସମ୍ପୂର୍ଣ୍ଣ ମାରିଦେଇଥାନ୍ତି ।

କେବଳ ଟି ମସ୍କିଟୋ ବଗ୍ ନୁହେଁ, ଫୋମୋପକ୍ସିସ୍ ଆଜାଡିରାକ୍ଟି ଫଙ୍ଗସ ମଧ୍ୟ ଲିମ୍ବ ଗଛ ମରିବାର ଆଉ ଏକ ପ୍ରମୁଖ କାରଣ ପାଲିଟିଛି । ଜଳବାୟୁରେ ପରିବର୍ତନ କାରଣରୁ ଏହି ଫଙ୍ଗସ ପାଇଁ ଲିମ୍ବ ଗଛ ନଷ୍ଟ ହୋଇଯିବା ଆରମ୍ଭ ହୋଇଛି । ଉପଯୁକ୍ତ ଧ୍ୟାନ ନଦିଆହେଲେ ଏହା ଆଗାମୀ ଦିନରେ ଏକ ପ୍ରମୁଖ ସମସ୍ୟା ପାଲଟିବା ନେଇ ବିଶେଷଜ୍ଞ ମତ ଦେଇଛନ୍ତି ।

ଲିମ୍ବ ଗଛରୁ ଅନେକ ପ୍ରକାର ଦରକାରୀ ସାମଗ୍ରୀ ପ୍ରସ୍ତୁତ ହୁଏ । ଓøଷଧଠାରୁ ଆରମ୍ଭ କରି ଖାଦ୍ୟ ପଦାର୍ଥ ପର୍ଯ୍ୟନ୍ତ ,ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ମଧ୍ୟ ଏହି ଲିମ୍ବ ଗଛର କାଠରୁ ପ୍ରସ୍ତୁତ ହୁଏ । ଏଭଳି ସ୍ଥଳେ ଲିମ୍ବ ଗଛ ଗୁଡିକର ଯଦି ଏଭଳି ଅକାଳ ମୃତ୍ୟୁ ହୁଏ ତେବେ ଆଗାମୀ ଦିନରେ ଏହା ଅନେକ ସମସ୍ୟା ସୃଷ୍ଟି କରିବା ଆଶଙ୍କା ରହିଛି ।