୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଲିଙ୍ଗାୟତ ମଠ ମହନ୍ତ। ଚିତ୍ରଦୁର୍ଗ ଜିଲ୍ଲା ଜେଲରେ ଡ. ଶିବମୂର୍ତ୍ତୀ।

126

କନକ ବ୍ୟୁରୋ: ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଲିଙ୍ଗାୟତ ମଠ ମହନ୍ତ । ବର୍ତ୍ତମାନ ଚାଙ୍କୁ ଚିତ୍ରଦୁର୍ଗ ଜିଲ୍ଲା ଜେଲକୁ ପଠାଯାଇଛି । ଶିଶୁ ଯୌନ ନିର୍ଯାତନା ମାମଲାରେ ଅଭିଯୋଗର ୬ ଦିନ ପରେ ଗିରଫ ହୋଇଥିଲେ ପ୍ରସିଦ୍ଧ ଲିଙ୍ଗାୟତ ଶୈବ ମଠ ମୁରୁଗା ମଠର ମୁଖ୍ୟ ମହନ୍ତ ଡ.ଶିବମୂର୍ତ୍ତୀ ମୁରୁଗା ଶରଣରୁ । ଗୁରୁବାର ବିଳମ୍ବିତ ରାତିରେ କର୍ଣ୍ଣାଟକ ପୁଲିସ ତାଙ୍କୁ ଗିରଫ କରିଥିଲା । ପୁଲିସ ପୋକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି । ୧୫ ବର୍ଷ ଏବଂ ୧୬ ବର୍ଷର ଦୁଇ ଝିଅଙ୍କୁ ତିନି ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି । ହଷ୍ଟେଲର ୱାର୍ଡେନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅନ୍ୟ ୪ ଜଣଙ୍କ ନାଁରେ ମଧ୍ୟ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ ହୋଇଛି ।

ଅଗଷ୍ଟ ୨୬ରେ ନାଜରବାଦ ପୋଲିସ ଷ୍ଟେସନରେ ଏହି ମହନ୍ତଙ୍କ ବିରୋଧରେ ପ୍ରଥମେ ଏଫଆଇଆର ରୁଜୁ କରିଥିଲେ ପୀଡିତା । ମହନ୍ତ ସୋମବାର ଜାମିନ ପାଇଁ ଆବେଦନ କରିଥିଲେ । କିନ୍ତୁ ମଙ୍ଗଳବାର ଦିନ ଏସସି / ଏସଟି ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ମଧ୍ୟ ଯୋଡା ହୋଇଥିଲା । କର୍ଣାଟକ କୋର୍ଟ ଆରୋପୀ ସନ୍ଥ ଶିବମୁର୍ତୀଙ୍କ ରିମାଣ୍ଡ ରେ ନେବା ପାଇଁ ଶନିବାର ଅଦାଲତରେ ଆବେଦନ କରିପାରେ । ଶିବମୁର୍ତୀଙ୍କୁ ଗିରଫ ପୂର୍ବରୁ ତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି ହୋଇଥିଲା । ଅନ୍ୟପଟେ ଶିବମୂର୍ତ୍ତୀ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଉଛି । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଛ ଅଟେ । ଆଉ ଏହା ପଛରେ କୌଣସି ବ୍ୟକ୍ତିଙ୍କ ହାତ ରହିଛି ।

କର୍ଣାଟକର ଏହି ଘଟଣା ଦେଶବ୍ୟାପି ଆଲୋଡନ ସୃଷ୍ଟି କରିଥିଲେ ମଧ୍ୟ ରାଜ୍ୟର ୨ ପ୍ରମୁଖ ଦଳ ଏହି ଘଟଣାରେ ନିରବ ରହିଥିଲେ । ଏମିତିକି ରାଜ୍ୟର ଶାସନଗାଦିରେ ବସିଥିବା ବିଜେପି ସରକାର ମଧ୍ୟ ଏହି ଘଟଣାରେ ସମାଲୋଚିତ ହେଇଥିଲା । ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶାଳୀ ସଂପ୍ରଦାୟ ଭାବେ ଜଣାଶୁଣା । ରାଜ୍ୟର ସମୁଦାୟ ଭୋଟ ହାରର ୧୮ ପ୍ରତିଶତ ଭୋଟ ଲିଙ୍ଗାୟତ ସମ୍ପ୍ରଦାୟରୁ ରହିଛି । ଯେଉଁଥିପାଇଁ ରାଜ୍ୟରେ ସରକାରରେ ଓ ବିରୋଧୀ ଆସନରେ ବସିଥିବା ୨ ଦଳ ବିଜେପି ଓ କଂଗ୍ରେସ କୌଣସି ରିସ୍କ ନେବାକୁ ଚାହୁଁନଥିଲେ ବୋଲି କୁହାଯାଉଛି ।