ଅଭିଯୋଗପତ୍ର ଧରି ପହଞ୍ଚିଲେ ଭାଇ-ଭଉଣୀ । ଥଇଥାନ ପାଇଁ ଆଗକୁ ଆସିଲା ଜିଲ୍ଲା ପ୍ରଶାସନ।

98

କନକ ବ୍ୟୁରୋ: ଗୁହାରି ଶୁଣିଲେ ଜିଲ୍ଲାପାଳ । କୁନି କୁନି ଭାଇ-ଭଉଣୀଙ୍କ ଅଭିଯୋଗ ଶୁଣି ଥଇଥାନ ପାଇଁ ଆଗକୁ ଆସିଲା ଜିଲ୍ଲା ପ୍ରଶାସନ । ବାପାମାଆ ଛେଉଣ୍ଡ ଭାଇଭଉଣୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ହାଜର ହୋଇଛନ୍ତି । ହାତରେ ଅଭିଯୋଗ ପତ୍ର ଧରି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଆଗରେ ନିଜର ଦୁଃଖ କହିଥିଲେ ଦୁଇ ଅନାଥ ଶିଶୁ । ଜିଲ୍ଲାପାଳ ନିଜେ ପିଲା ଦୁଇଟିଙ୍କୁ ସେମାନଙ୍କ ସମସ୍ୟା ବାବଦରେ ପଚାରିବୁଝିଥିଲେ ।

ଗଜପତି ମୋହନା ବ୍ଲକ କେଶରୀଗୁଡ଼ା ପଂଚାୟତରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ମୋହନା ବ୍ଲକ ପାଟିପଙ୍କା ଗାଁର ସୁମନ୍ତ ଗମାଙ୍ଗ ଓ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଇପିଲା ଅନାଥ ହୋଇଯାଇଛନ୍ତି । ଭାଇ-ଭଉଣୀ ଦୁଇ ଜଣ ବୃଦ୍ଧ ଜେଜେ ବାପାଙ୍କ ପାଖରେ ରହୁଛନ୍ତି । ଜେଜେଙ୍କୁ ବୟସ ହୋଇଯାଇଥିବା ସେମାନଙ୍କ ପାଠପଢ଼ା ସହ ଲାଳନ ପାଳନରେ ସମସ୍ୟା ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ଏହି ଅନାଥ ଭାଇ-ଭଉଣୀ ।