ଆଇପିଏଲ ପ୍ରସାରଣ ପାଇଁ ଚାଲିଛି ନିଲାମ ପ୍ରକ୍ରିୟା । ୫ ବର୍ଷ ପାଇଁ ରାଇଟ୍ସ କିଣିଲେ ଚ୍ୟାନେଲକୁ ଦେବାକୁ ପଡିବ ସର୍ବନିମ୍ନ ୧୮ ହଜାର କୋଟି ।

205

କନକ ବ୍ୟୁରୋ: ଆଇପିଏଲର ଟିଭି ପ୍ରସାରଣ ଅଧିକାର କିଣିବା ପାଇଁ ନିଲାମ ପ୍ରକିୟା ଆରମ୍ଭ ହୋଇଛି । ଆଜି ଓ କାଲି ଦୁଇ ଦିନ ଏହି ପ୍ରକ୍ରିିୟା ଜାରି ରହିବ । ଆଇପିଏଲ ମ୍ୟାଚର ପ୍ରସାରଣ ପାଇଁ ଯେଉଁ ଚ୍ୟାନେଲ ଅଧିକାର ବା ରାଇଟ୍ସ କିଣିବ, ତାକୁ କେତେ ଟଙ୍କା ଦେବାକୁ ପଡିବ ତାହା ଅନେକ ହୁଏତ ଜାଣିନଥିବେ । ଆପଣଙ୍କ ଡ୍ରଇଂ ରୁମରେ ଏହି ଖେଳକୁ ପହଞ୍ଚାଇବା ପାଇଁ ସମ୍ପୃକ୍ତ ଚ୍ୟାନେଲକୁ ୪୨ ହଜାର କୋଟିରୁ ଅଧିକ ଟଙ୍କା ଦେବାକୁ ପଡିବ । ୫ ବର୍ଷ ପାଇଁ ଏହି ପ୍ରସାରଣ ଅଧିକାର ବିକ୍ରି କରାଯାଉଛି । ରିପୋର୍ଟ ଫାଇଲ ହେବା ସୁଦ୍ଧା ନିଲାମ ପ୍ରକ୍ରିୟାରେ ଏହା ୪୨ ହଜାର କୋଟି ଟପିଗଲାଣି । ଆଗକୁ ଏହା ଆହୁରୀ ବଢିପାରେ ।

  • ଟଙ୍କାର ଖେଳ କ୍ରିକେଟ
  • ଚକିତ କଲା ମିଡିଆ ରାଇଟ୍ସର ମୂଲ୍ୟ

ଆପଣମାନେ ଟିଭିରେ ଆଇପିଏଲ ଖେଳ ଦେଖିବା ଓ ଯେଉଁ ଚ୍ୟାନେଲ ଆପଣଙ୍କୁ ଏହି ଖେଳ ଦେଖାଉଛି, ଏସବୁ ପ୍ରକ୍ରିୟାରେ କେତେ ଟଙ୍କାର କାରବାର ହେଉଛି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ଗୋଟିଏ ମ୍ୟାଚ ପାଇଁ ସଂପୃକ୍ତ ଟିଭି ଚ୍ୟାନେଲକୁ ସର୍ବନିମ୍ନ ୪୯ କୋଟି ଟଙ୍କା ଦେବାକୁ ପଡିବ । ଆଇପିଏଲରେ ବର୍ତମାନ ୭୪ଟି ମ୍ୟାଚ ହେଉଛି । ଏହି ୭୪ଟି ମ୍ୟାଚ ପାଇଁ ୩ ହଜାର ୬୨୬ କୋଟି ଟଙ୍କା ସଂପୃକ୍ତ ଚ୍ୟାନେଲକୁ ଦେବାକୁ ପଡିବ । ଏହି ଟଙ୍କା ନେବ ବିସିସିଆଇ- ବୋର୍ଡ ଅଫ୍ କଂଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ । ଏହି ୪୯ କୋଟି ଟଙ୍କା ସର୍ବନିମ୍ନ ଅର୍ଥାତ୍ ବେସ ପ୍ରାଇସ । ନିଲାମରେ ଏହି ପରିମାଣ ଯଥେଷ୍ଟ ବଢିବାର ସମ୍ଭାବନା ରହିଛି । ୫ ବର୍ଷ ପାଇଁ ଏହି ରାଇଟ୍ସ ଅର୍ଥାତ ଅଧିକାର ବିକ୍ରି କରୁଛି ବିସିସିଆଇ । ଯଦି ବେସ ପ୍ରାଇସରେ ଏକ ଚ୍ୟାନେଲ ଏହି ରାଇଟସ କିଣୁଛି ତେବେ ବର୍ଷକୁ ୩ ହଜାର ୬୨୬ କୋଟି ଟଙ୍କା ହାରରେ ୫ ବର୍ଷ ପାଇଁ ୧୮ ହଜାର ୧୩୦ କୋଟି ଟଙ୍କା ଦେବାକୁ ପଡିବ ।

ତେବେ ବେସ୍ ପ୍ରାଇସ ଠାରୁ ଯଥେଷ୍ଟ ଅଧିକ ଦାମରେ ବିକ୍ରି ହେଉଛି ରାଇଟ୍ସ ୨୦୨୩ରୁ ୨୦୨୭ ଯାଏଁ ୪୫ରୁ ୫୦ ହଜାର କୋଟି ଯାଇପାରେ ଆଇପିଏଲର ମୂଲ୍ୟ । ଅର୍ଥାତ୍ ଯେଉଁ ଚ୍ୟାନେଲ ୫ ବର୍ଷ ପାଇଁ ଆଇପିଏଲ ପ୍ରସାରଣର ରାଇଟସ କିଣିବ ତାକୁ ୪୫ରୁ ୫୦ ହଜାର କୋଟି ଟଙ୍କା ଦେବାକୁ ପଡିବ । ଆପଣ ଭାବୁଥିବେ ଏତେ ପରିମାଣର ଟଙ୍କା ସଂପୃକ୍ତ ଚ୍ୟାନେଲ କାହିଁକି ଦେବ? କିନ୍ତୁ ସତ କଥା ହେଉଛି ସଂପୃକ୍ତ ଚ୍ୟାନେଲ ଏତେ ଟଙ୍କା ଦେଇ ରାଇଟସ କିଣିବା ପରେ ବିଜ୍ଞାପନରେ ଏହା ଠାରୁ ଢେର ଅଧିକ ଟଙ୍କା ଆଦାୟ କରିବ । ଯେହେତୁ କ୍ରିକେଟ ମ୍ୟାଚକୁ ଆମ ଦେଶର ଲୋକେ ବହୁତ ଅଧିକ ଦେଖନ୍ତି ସେଥିପାଇଁ ବିଜ୍ଞାପନ ଦାତା ମାନେ ଆଇପିଏଲ ମ୍ୟାଚ ପାଇଁ ବହୁପରିମାଣର ଟଙ୍କା ଦିଅନ୍ତି ।

ଆଇପିଏଲ ମ୍ୟାଚ ପ୍ରସାରଣର ଅଧିକାର କିମ୍ବା ରାଇଟସ ପାଇଁ ରବିବାର ଓ ସୋମବାର ଏହି ନିଲାମି ଚାଲିବ । ଆଉ ଡିଜିଟାଲ ପ୍ରସାରଣ ପାଇଁ ମଧ୍ୟ ନିଲାମି ଚାଲିଛି । ଏଥିରେ ସାମିଲ ହୋଇଛନ୍ତି ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ ଲିମିଟେଡ୍, ରିଲାଏନ୍ସ-ଭାଇକୋମ୍ ୧୮, ଡିଜନି ଷ୍ଟାର ନେଟୱର୍କ, ସୋନି ନେଟୱର୍କ ଭଳି ବଡ ବଡ କମ୍ପାନୀ ।