ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ସହ କେନ୍ଦ୍ରାପଡା ଯୁବକଙ୍କ ଲିଙ୍କ ନେଇ ଖୋଳତାଡ: କମିଶନରେଟ ପୁଲିସ କହିଲା,ଅଧିକ ତଥ୍ୟ ପାଇଁ ଏନଆଇଏକୁ କରାଯିବ ସହଯୋଗ

30

କନକ ବ୍ୟୁରୋ: କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା ସହ କେନ୍ଦ୍ରାପଡାର ଓଡିଆ ଯୁବକର ଲିଙ୍କ ନେଇ ଖୋଳତାଡ ଆରମ୍ଭ ହୋଇଛି । ଆତଙ୍କବାଦୀ ଲିଙ୍କରେ ଦିଲ୍ଲୀରେ ହବିବୁର ରେହେମାନକୁ ଏନଆଇଏ ଗିରଫ କରିବା ପରେ ସାରା ରାଜ୍ୟରେ ଚାଂଚଲ୍ୟ ଖେଳିଯାଇଛି । କମିଶନରେଟ ପୋଲିସର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି, ହବିବୁର ସମ୍ପର୍କରେ ଯଦି ଏନଆଇଏ ତଥ୍ୟ ଜାଣିବା ପାଇଁ ଚାହିଁବ ତେବେ ସେମାନେ ସହଯୋଗ କରିବେ । ହବିବୁର ରେହମାନ ଘର କେନ୍ଦ୍ରାପଡା ପାଟକୁରା ଥାନା ତେଣ୍ଡାକୁଡା ଗାଁରେ ବୋଲି ଜଣାପଡିଛି । ହବିବୁର ସାଉଦି ଆରବର ରିଆଦରେ ରହୁଥିଲା ।

ସେପଟେ କେନ୍ଦ୍ରାପଡାରେ ହବିବୁରର ବାପା ଓ ଭାଇ ରହୁଛନ୍ତି । ହବିବୁରର ବାପା କହିଛନ୍ତି ଯେ, ସେ ପ୍ରଥମେ ବମ୍ବେ ଓ ସେଠାରୁ ସାଉଦି ଆରବ ଚାଲିଯାଇଥିଲା । ଦୀର୍ଘ ୧୫ ବର୍ଷ ହେଲା ତା ସହିତ ପରିବାରର କୌଣସି ସମ୍ପର୍କ ନାହିଁ । ସେ ୨୦୦୪ରେ ହଜ ଯାଇଥିବାବଳେ ହବିବୁରକୁ ଭେଟିଥିଲେ । ୨୦୦୬ରେ ହବିବୁର ଶେଷଥର ଲାଗି ନିଜ ଭାଇ ବାହାଘରକୁ କେନ୍ଦ୍ରାପଡା ଆସିଥିଲା । ତେବେ ଦୋଷ ପ୍ରମାଣିତ ହେଲେ ହବିବୁରଙ୍କୁ ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି । ହବିବୁରଙ୍କ ଭାଇ ମଧ୍ୟ ଠିକ ସେଇ କଥା ଦୋହରାଇଛନ୍ତି ।

ଲସ୍କର ଏ ତୋଇବା ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଅଭିଯୋଗରେ ହବିବୁର ଗିରଫ ହୋଇଛି । ଲସ୍କର ଏ ତୋଇବାର ଆତଙ୍କବାଦୀ ସେଖ୍ ନଇମ ସହ ହବିବୁରର ସମ୍ପର୍କ ଥିଲା । ଏନେଇ ପୂବ ର୍ରୁ ନଇମ ଓ ହବିବୁର ସମେତ ୧୦ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ଏନଆଇଏ । କିଛିଦିନତଳେ ହବିବୁରର ଭାଇକୁ ବି ଏନଆଇଏ ପଚରାଉଚରା କରିଥିଲା ।