ମନ ଜିଣିନେଲେ ତେନ୍ତୁଳିଗୁଡା ଗ୍ରାମବାସୀ । ୭ ଦଶନ୍ଧିରେ ଯାହା ସରକାର କରି ପାରୁନଥିଲେ, ତାହାକୁ ୭ ଦିନରେ କରି ଦେଖାଇଲେ ।

120

କନକ ବ୍ୟୁରୋ : ସକାଳୁ ସଞ୍ଜ ଚାଲିଛି ମାଟିଖୋଳା । ପିଲାଠୁ ବୃଦ୍ଧ ସମସ୍ତେ ମାଟି ଖୋଳାରେ ବ୍ୟସ୍ତ । କିଏ ମାଟି ଖୋଳି ଦେଉଛି ତ ପୁଣି କିଏ ମାଟି ବୋହି ଅନ୍ୟ ସ୍ଥାନକୁ ନେଇଛି । କାରଣ ଏବେ ନୁହେଁ ତ କେବେ ନୁହେଁ । ଆଜି ଯଦି କୋଡି କୋଦାଳ ନ ଧରିବୁ ତେବେ ଏହିଭଳି ଯେ କେତେବର୍ଷ ଅପହଞ୍ଚ ହୋଇ ରହିଯିବୁ ତାହାର ହିସାବ ନାହିଁ । ଏହି ଅପହଞ୍ଚର ପରିଚୟକୁ ହଟାଇବାକୁ କୋରାପୁଟ ଦଶମନ୍ତପୁର ବ୍ଲକର ତେନ୍ତୁଳିଗୁଡା ଗ୍ରାମବାସୀ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ରାସ୍ତାକାମ । ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଯେଉଁ କାମ ପ୍ରଶାସନ କରିବାକୁ ନାକ ଟେକୁଥିଲା ସେହି କାମକୁ ମାତ୍ର ୭ ଦିନରେ କରି ଦେଖାଇଛନ୍ତି ତେନ୍ତୁଳିପଡା ଗ୍ରାମର ପୁରୁଷ ଓ ମହିଳା ମାନେ ।

୫୦ରୁ ଉଦ୍ଧ୍ୱର୍ ପରିବାର ବସବାସ କରୁଥିବା ତେନ୍ତୁଳିଗୁଡା ଗ୍ରାମକୁ ଯାତାୟତର ଗୋଟିଏ ମାଧ୍ୟମ ଜଙ୍ଗଲ ରାସ୍ତା । କେମିଲି ଠାରୁ ୩ କିଲୋମିଟର ଜଙ୍ଗଲ ରାସ୍ତାରେ ଖରାଦିନେ ଯାହା ଯେମିତି ଗାଁକୁ ଯାତାୟତ କରିହୁଏ । କିନ୍ତୁ ବର୍ଷା ଦିନରେ ଗାଁରୁ ବାହାରକୁ ଆସିବା ଯମ ଯନ୍ତ୍ରଣା ସହ ସମାନ । ବର୍ଷା ଦିନରେ ଗାଁ ପିଲାଙ୍କ ପାଠରେ ଡୋରି ଲାଗେ, କୌଣସି ଆବଶ୍ୟକୀୟ ଜିନିଷ ଆଣିବାକୁ ସଂଘର୍ଷ କରିବାକୁ ପଡେ । ଆଉ କେହି ରୋଗରେ ପଡିଲେ କଥା ସରିଲା । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ପଶିପାରେନି, ୩ଟି ଉଛୁଳା ନାଳ ପାର କରି ୩ କିଲୋମିଟର କାଦୁଅ ପଚପଚ ରାସ୍ତାରେ ରୋଗୀକୁ କାନେ୍ଧଇ ନେବାକୁ ପଡେ । ଏପରିକି ନାଳରେ ଯିବା ବେଳେ ଗ୍ରାମର ୭ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଗାଁକୁ ଖଣ୍ଡେ ରାସ୍ତା କରିବାକୁ ବାରମ୍ବାର ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସରକାରଙ୍କ ବାରମ୍ବାର ଅଣଦେଖା ପରେ ନିଜ ନାଆରେ ନିଜେ ନାଉରୀ ସାଜିବାକୁ ନିଷ୍ପତ୍ତି ନେଇଛନ୍ତି ତେନ୍ତୁଳିଗୁଡା ଗ୍ରାମବାସୀ । ଗ୍ରାମର ମହିଳା ଓ ପୁରୁଷ ହାତରେ କୋଡି କୋଦାଳ ଧରି ଜଙ୍ଗଲର ପଥୁରିଆ ମାଟିକୁ ହାଣି ସମତୁଲ କରିବା ସହ ଗାଁକୁ କଚ୍ଚା ରାସ୍ତାଟିଏ କରିବାରେ ସଫଳ ହୋଇଛନ୍ତି ।

ଗ୍ରାମବାସୀ ଏକଜୁଟ ହୋଇ କେବଳ ରାସ୍ତାଟିଏ କରିନାହାନ୍ତି ବରଂ ସରକାରୀ ବ୍ୟବସ୍ଥାକୁ ଶକ୍ତ ଚାପୁଡାଟିଏ ମାରିଛନ୍ତି । ଆଉ ଚେତାଇ ଦେଇଛନ୍ତି ବାରମ୍ବାର ଦାବି ସତ୍ତେ୍ୱ ସରକାର ଆମ କଥା ଶୁଣୁନାହାନ୍ତି ତେଣୁ ଆଗାମୀ ନିର୍ବାଚନରେ ଗାଁରୁ ଜଣେ କେହି ବି ଭୋଟ ଦେବେନି ।