ଛିଡୁନି ଅଳିଆ ଗଦାର ଅଡୁଆ । ଅଳିଆ ନଉଠିବା ପ୍ରତିବାଦରେ ବିଜେପିର ବିଏମସି ଘେରାଉ । ସମସ୍ୟା ସମାଧାନ ନହେଲେ ତୀବ୍ର ଆନ୍ଦୋଳନ ଚେତାବନୀ ।

87

କନକ ବ୍ୟୁରୋ: ବିଏମସିକୁ ଅଳିଆ ଅଡୁଆ । ସହର ଭିତରର ଅଳିଆ ଆବର୍ଜନା, ଗାଁ ଭିତରେ କାହିଁକି ପଡିବ ବୋଲି ଆନ୍ଦୋଳନ କରିଆସୁଛନ୍ତି ଦାରୁଠେଙ୍ଗବାସୀ । ଆଉ ଏପଟେ ଅଳିଆ ପକାଇବା ପାଇଁ ଆବର୍ଜନା ଭର୍ତ୍ତି ଗାଡି  ସୈନିକ ସ୍କୁଲ ପଛ ଅସ୍ଥାୟୀ ଡମ୍ପିଂୟାର୍ଡରେ ଧାଡି ଲଗାଇଛନ୍ତି । ଏଭଳି ଛକାପଞ୍ଝା ଭିତରେ ରାଜନୀତିର ପ୍ରସଙ୍ଗ ପାଲଟିଛି ସ୍ମାର୍ଟ ସିଟିର ଅଳିଆ ପାହାଡ ।

  • ସ୍ମାର୍ଟସିଟିରେ ଅଳିଆର ପାହାଡ
  • ବିଏମସିରେ ଅଳିଆ ପକାଇଲା ବିଜେପି
  • ଦାରୁଠେଙ୍ଗରେ ଗାଁ ଲୋକଙ୍କ ପ୍ରତିବାଦ

ରାଜଧାନୀର ବିଭିନ୍ନ ୱାର୍ଡ ଓ ସୈନିକ ସ୍କୁଲ ପଛରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ଏଥିସହ ସହର ଭିତରୁ ନିତିଦିନ ବାହାରୁ ଥିବା ଅଳିଆକୁ ପକାଇବା ପାଇଁ ଆବର୍ଜନା ଭର୍ତ୍ତି ଗାଡି ଗୁଡିକ ସୈନିକ ସ୍କୁଲ ପଛ ଅସ୍ଥାୟୀ ଡମ୍ପିଂୟାର୍ଡରେ ଧାଡି ଲଗାଇଛନ୍ତି । ହେଲେ ସ୍ଥାନ ଅଭାବରୁ ଅଳିଆ ପକାଇ ନପାରି ଠିଆ ହୋଇଛନ୍ତିି । ବିଏମସିର ମୁଖ୍ୟ ଡମ୍ପିଂୟାର୍ଡ ଦାରୁଠେଙ୍ଗରେ ଅଳିଆ ପକାଇବା ପାଇଁ ସ୍ଥାନୀୟ ଲୋକ କୌଣସି ଗାଡିକୁ ପୂରାଇ ଦେଉନଥିବାରୁ ଅଳିଆରେ ଭର୍ତ୍ତ ହୋଇ ଗଲାଣି ସହର ଭିତର । ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ  ।

ସହର ଭିତରେ ଅଳିଆ ଆବର୍ଜନା ଜମା ହୋଇ ଚାଲିଥିବାବେଳେ, ବିଏମସି ପୁଲିସ ସହାୟତାରେ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ପ୍ରୟାସ କରୁଥିବା ଖବର ପାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଦାରୁଠେଙ୍ଗବାସୀ । ଏପଟେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା ବଢ଼ି ବଢ଼ି ଚାଲିଥିବାବେଳେ, ବିଏମସି ଘେରାଉ କରିଛି ବିଜେପି । ବିଏମସି କାର୍ଯ୍ୟାଳୟରେ ଅଳିଆ ପକାଇବା ସହ ଆଗାମୀ ୪୮ ଘଣ୍ଟା ଭିତରେ ସହରକୁ ସଫା କରିବା ପାଇଁ ଦାବି କରିଛନ୍ତି । ଯଦି ଏହି ସମୟ ଭିତରେ ଅଳିଆ ନଉଠେ ତେବେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛି । ତେବେ ଦାରୁଠେଙ୍ଗବାସୀଙ୍କ ସହ ଆଲୋଚନା ଚାଲିଛି ଓ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଏମସି ମେୟର ।

ବିଏମସି ଅଞ୍ଚଳର ଅଳିଆ ପକାଇବା ପାଇଁ ଦାରୁଠେଙ୍ଗରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ଅନୁମତି ଦେଇଛନ୍ତି । ତଥାପି ସହରାଞ୍ଚଳର ଅଳିଆ ପକାଯିବାକୁ ନେଇ ଦାରୁଠେଙ୍ଗରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ କରି ବାରମ୍ବାର ସ୍ଥାନୀୟ ଲୋକ ଏହାକୁ ବିରୋଧ କରି ଆସୁଛନ୍ତି । ହେଲେ ପ୍ରଶାସନ ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ କରିବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାଁନ୍ତି ।