ରାଜ୍ୟରେ ଆଜିଠାରୁ ପୁଣି ବଢିବ ତାତି ! ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ 

କେରଳରେ ପହଞ୍ଚିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଛି

264
କନକ ବ୍ୟୁରୋ : କେରଳରେ ପହଞ୍ଚିଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଛି। କିଛି ସମୟ ଦକ୍ଷିଣ ଆରବ ସାଗର, ଲାକ୍ଷାଦୀପ, କେରଳ, ତାଲିମନାଡ଼ୁର କିଛି ଅଞ୍ଚଳ, ପୂର୍ବ-କେନ୍ଦ୍ରୀୟ ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ପ୍ରଭାବରେ ଉକ୍ତ ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୪୦ରୁ ୬୦ କିମି ବେଗରେ ପବନ ହୋଇପାରେ। ଏଥିସହ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ପ୍ରବେଶ ଲାଗି ଅନୁକୂଳ ପାଗ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ପୂର୍ବ ଭାରତ ତଥା ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ମୌସୁମୀ କେବେ ପ୍ରବେଶ କରିବ, ସେନେଇ ଏବେ ସୁଦ୍ଧା ଆକଳନ କରାଯାଇପାରି ନାହିଁ। ଯଦି ପାଗ ଅନୁକୂଳ ରୁହେ, ଆସନ୍ତା ୬ରୁ ୮ ଦିନ ଅର୍ଥାତ୍ ଜୁନ୍ ୧୪ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶା ଦେଇ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ। ନ ହେଲେ ୩ରୁ ୪ଦିନ ବିଳମ୍ବ ହୋଇପାରେ। ତେବେ ଜୁନ୍ ୧୭ବେଳକୁ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଥିବ। ନିର୍ଦ୍ଦିଷ୍ଟ କୌଣସି ତାରିଖରେ ଓଡ଼ିଶାରେ ମୌସୁମୀ ପହଞ୍ଚିବ, ସେନେଇ ଏବେ ଆକଳନ କରାଯାଇପାରିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Summer heat on the thermometer

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ମୌସୁମୀ ଏବେ ସକ୍ରିୟ ରହିଛି। ତେବେ ଆସନ୍ତା ୭ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା କ୍ଷୀଣ। ଏବେ ଦକ୍ଷିଣ ଭାରତ ସମେତ ଆରବ ସାଗର ଉପକୂଳରେ ମୌସୁମୀ ସକ୍ରିୟ ରହିଥିବାରୁ ଲାକ୍ଷାଦୀପ, କେରଳ, ଦକ୍ଷିଣ କେନ୍ଦ୍ରୀୟ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୪ ଦିନ ପର୍ଯ୍ୟନ୍ତ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ଅଧିକ ସକ୍ରିୟ ହେବ। ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରାରେ ଅତିପ୍ରବଳ ବର୍ଷା ହୋଇପାରେ। ୧୩ ତାରିଖ ପର୍ଯ୍ୟନ୍ତ ମୌସୁମୀ ମନ୍ଥର ଗତିରେ ଆଗକୁ ବଢ଼ିବ। ତେଣୁ ଓଡ଼ିଶାରେ ଶୀଘ୍ର ପ୍ରବେଶ କରିବାର ସମ୍ଭାବନା ନାହିଁ। ଉତ୍ତର ଓ ପଶ୍ଚିମ ଭାରତରେ ଏବେ ବି ତାତି ଲାଗି ରହିଛି। ଓଡ଼ିଶାରେ ବି ୧୪ ତାରିଖ ଯାଏଁ ପ୍ରଚଣ୍ଡ ତାତି ଅନୁଭୂତ ହେବ। ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରି ଟପିବାର ଆଶଙ୍କା ରହିଛି। ଉପକୂଳ ଓଡ଼ିଶାରେ ବି ୪୦ ଡିଗ୍ରି ଡେଇଁବ।

ଅନ୍ୟପକ୍ଷରେ ଯଦି ଗତ ୮ ବର୍ଷର ତଥ୍ୟକୁ ଦେଖାଯାଏ ତେବେ ପ୍ରତି ଗୋଟିଏ ବର୍ଷ ବ୍ୟବଧାନରେ ନିର୍ଦ୍ଧାରିତ ସମୟ(ଜୁନ୍ ୧୦ରୁ ୧୨ ତାରିଖ)ଠାରୁ ବିଳମ୍ବରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରୁଛି। ୨୦୧୨ରେ ଜୁନ୍ ୧୭ରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ୨୦୧୪ରେ ଜୁନ୍ ୧୮, ୨୦୧୬ରେ ଜୁନ୍ ୧୮ରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥିଲା। ୨୦୧୮ରେ ଜୁନ୍ ୮ରେ ମୌସୁମୀ ଦକ୍ଷିଣ ଓଡ଼ିଶା ଦେଇ ପ୍ରବେଶ କରିଥିଲା। ଏଥର ସାମାନ୍ୟ ବିଳମ୍ବ ହୋଇପାରେ। ତିନି ଦିନ ଧରି କୋହଲା ପାଗ ଲାଗି ରହିବା ପରେ ପୁଣିଥରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବଢ଼ିଛି। ୯ଟି ସହରରେ ପାରଦ ୪୦ ଡିଗ୍ରି ଡେଇଁଛି। ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।