୬୩୫ ରୁମ୍, ୩୦୦ ସିସିଟିଭି, ୨୬ ମାସ ସମୟ । ଜାଣନ୍ତୁ, ତେଲେଙ୍ଗାନାର ନୂଆ ସଚିବାଳୟର ଖାସ୍ କଥା ।

426

କନକ ବ୍ୟୁରୋ: ରେକର୍ଡ ସମୟ ଭିତରେ ପ୍ରସ୍ତୁତ ହୋଇସାରିଛି ତେଲେଙ୍ଗାନାର ଭବ୍ୟ ସଚିବାଳୟ । ରବିବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ଏହାର ଉଦଘାଟନ କରିଛନ୍ତି । ତେବେ ଏହି ଭବନର ଭବ୍ୟତା ଏବେ ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଦେଶର ସବୁଠୁ ଭବ୍ୟ ସଚିବାଳୟ ବୋଲି ଏହାକୁ କୁହାଯାଉଛି । ତେବେ ସାଧାରଣତଃ ଏପରି ବିଶାଳ ଭବନ ନିର୍ମାଣ କରିବାକୁ ୫ ବର୍ଷରୁ ଅଧିକ ସମୟ ଲାଗୁଥିବାବେଳେ, ତେଲେଙ୍ଗାନାର ଏହି ସଚିବାଳୟକୁ ମାତ୍ର ୨୬ ମାସ ଭିତରେ ନିର୍ମାଣ କରାଯାଇଛି । ଯାହାକି ଏକପ୍ରକାରର ରେକର୍ଡ ।

ତେବେ ତେଲେଙ୍ଗାନା ରାଜ୍ୟ ନିର୍ମାଣ ପରେ କେସିଆରଙ୍କ ନେତୃତ୍ୱାଧୀନ ସରକାର ପ୍ରଥମେ ଆନ୍ଧ୍ରପ୍ରଦେଶର ସଚିବାଳୟରୁ ହିଁ କାମ କରୁଥିଲା । ତେବେ ପୁରୁଣା ରାଜ୍ୟ ସଚିବାଳୟରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ନଥିଲା । ବିଭିନ୍ନ ସମୟରେ କର୍ମଚାରୀମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ପ୍ରଶାସନିକ କାମ ମଧ୍ୟ ଠିକ୍ ଠାକ୍ ହେଇପାରୁନଥିଲା । ତେବେ ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଏହି ବିଶାଳ ଭବ୍ୟ ଭବନର ନିର୍ମାଣ କରାଯାଇଥିଲା ।

ନୂଆ ସଚିବାଳୟର ଖାସ୍ କଥା

  • ୨୬ ମାସ ଭିତରେ ନିର୍ମାଣ ହୋଇଛି ଏହି ଭବ୍ୟ ଭବନ
  • ଏଥିରେ ଲାଗିଛି ୩୦୦ ସିସିଟିଭି ଓ ୩୦୦ ପୋଲିସ କର୍ମୀ ଏହାର ସୁରକ୍ଷାରେ ନିୟୋଜିତ ହୋଇଛନ୍ତି
  • ଗୁମ୍ବନ୍ଦ ଓ ଖମ୍ବର ନିର୍ମାଣ ପାଇଁ ଜିଆରସି ଟେକ୍ନଲୋଜିର ବ୍ୟବହାର କରାଯାଇଛି
  • କେବଳ ଖମ୍ଭ ଗୁଡିକର ନିର୍ମାଣ ପାଇଁ ୬ ମାସ ସମୟ ଲାଗିଥିଲା
  • ପ୍ରତିଦିନ ଏହି ଭବନର ନିର୍ମାଣ ପାଇଁ ୩ ହଜାର ଶ୍ରମିକ କାମ କରୁଥିଲେ
  • ଏହି ଭବନର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୬୧୭ କୋଟି ଟଙ୍କା
  • ୬ ମହଲା ଏହି ଭବନରେ ରହିଛି ୬୩୫ଟି ରୁମ୍
  • ତେଲେଙ୍ଗାନାର ନୂଆ ସଚିବାଳୟରେ ରହିଛି ୨୪ଟି ଲିଫ୍ଟ
  • ୫.୬୦ ଲକ୍ଷ ଲିଟର ପାଣି ଷ୍ଟୋର କରିବାର କ୍ଷମତା ଏହି ଭବନରେ ରହିଛି
  • ବିଜୁଳି ବଞ୍ଚାଇବା ପାଇଁ ଏହି ଭବନରେ ସୋଲାର ଶକ୍ତିର ମଧ୍ୟ ବ୍ୟବହାର ହୋଇଛି
  • ନୂଆ ସଚିବାଳୟରେ ଦୁଇଟି ବ୍ୟାଙ୍କ, ଡାକଘର, ଏଟିଏମ୍ କାଉଣ୍ଟର, ରେଲୱେ କାଉଣ୍ଟର ଏବଂ କ୍ୟାଣ୍ଟିନ୍ ମଧ୍ୟ ରହିଛି
  • ସଚିବାଳୟର ଭିତରେ ସବୁ ଧର୍ମକୁ ସମ୍ମାନ ଜଣାଇ ମନ୍ଦିର, ମସଜିଦ୍ ଏବଂ ଚର୍ଚ୍ଚ ନିର୍ମାଣ କରାଯାଇଛି

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଏହି ଭବ୍ୟ ଭବନର ଆଧାରଶିଳା ରଖାଯାଇଥିଲା । ଏହାପରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଆଉ ରେକର୍ଡ ସମୟ ଭିତରେ ଏହି ଭବନ ନିର୍ମାଣ କରି ରେକର୍ଡ କରିଛି ତେଲେଙ୍ଗାନା ।