ପଦାରେ ପଡିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ, ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେଲେ ନାହିଁ କେସିଆର

150

କନକ ବ୍ୟୁରୋ : ଆଜି ଗଣତନ୍ତ୍ର ଦିବସକୁ ସରା ଦେଶ ଧୁମଧାମରେ ପାଳନ କରୁଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ସଂସଦ ଭବନ ପର୍ଯ୍ୟନ୍ତ ଉତ୍ସବ ମୁଖର । ହେଲେ ରାଜନୈତିକ ବିବାଦ କାରଣରୁ ଆଜି ତେଲେଙ୍ଗାନାରେ ଦେଖିବାକୁ ମିଳିଛି କି ଏଭଳି ଦୃଶ୍ୟ । ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମିଳିତ ଭାବେ ରାଜଭବନ ପରିସରରେ ପତାକା ଉତ୍ତୋଳନ କରିବାର ବିଧି ଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଗୁରୁବାର ଦିନ ତେଲେଙ୍ଗାନା ରାଜଭବନ ପରିସରରେ ଆୟୋଜିତ ଗଣତନ୍ତ୍ର ଦିବସରେ ଏକା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଏକାକୀ ପତାକା ଉତ୍ତୋଳନ କରିଛନ୍ତି । ଏହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ହାଇଦ୍ରାବାଦ ଠାରେ ଆୟୋଜିତ ଗଣତନ୍ତ୍ର ଦିବସ ସମାରୋହରେ ଗୋଲଡେନ ଗ୍ଲୋବସ ପୁରସ୍କାର ବିଜେତା ଓ ଓସ୍କାର ନାମାଙ୍କିତ ନାଟୁ ନାଟୁ ଗୀତର ସଂଗୀତକାର ଏମଏମ କେରାବନୀ ଓ ଗୀତିକାର ଚନ୍ଦ୍ରବୋଷଙ୍କୁ ସମ୍ମାନୀତ କରିଛନ୍ତି । ଏହା ପୂର୍ବରୁ ସେ ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଅପେକ୍ଷା କରିଥିଲେ ବି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ପହଂଚି ନଥିଲେ ।

ସୂଚନା ଥାଉକି ତେଲେଙ୍ଗାନା ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏହି କାରଣରୁ ଗଣତନ୍ତ୍ର ଦିବସରେ ରାଜ୍ୟପାଳ ଯେଉଁ ଭାଷଣ ପଢିଥାନ୍ତି ତାହାକୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରି ତ୍ରାୁ ପ୍ରଦାନ କରାଯିବାର ନିମୟ ଥିଲେ ବି ତେଲେଙ୍ଗାନା ସରକାର ରାଜ୍ୟପାଳଙ୍କୁ ଏହି ଭାଷଣ ପଠାଇନଥିଲେ । ସେପଟେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳ ବିଧାନସଭାର ଉଭୟ ସଦନରେ ସମ୍ବୋଧିତ କରିବାର ପରମ୍ପରା ଥିଲେ ବି ଏଥର ରାଜ୍ୟପାଳ ସଦନକୁ ସମ୍ବୋଧିତ କରିବେ ନାହିଁ ବୋଲି ଜଣାପଡିଛି ।

କହିରଖୁ କି କେସିଆର ସରକାରଙ୍କୁ ନେଇ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ଅଭିଯୋଗ କରିଛନ୍ତି କି କାର୍ଯ୍ୟାଳୟ ସମ୍ପର୍କିତ ପ୍ରୋଟୋକଲ ପାଳନ କରାଯାଉ ନାହିଁ । ଏହା ସହ କେସିଆର ସରକାରଙ୍କ କିଛି ବିଧାୟକଙ୍କ ନାମରେ ମଧ୍ୟ ରାଜ୍ୟପାଳଙ୍କର ଅଭିଯୋଗ ରହିଛି ।