ସପ୍ତାହରେ ଗୋଟିଏ ଦିନ ହସ୍ତତନ୍ତ ଲୁଗା ପିନ୍ଧିବେ କୃଷି ବିଭାଗର କର୍ମଚାରୀ: ଚିଠି ଲେଖି ଅନୁରୋଧ କଲେ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ

126

କନକ ବ୍ୟୁରୋ: ଓଡିଶାର ଐତିହ୍ୟ ସମ୍ପନ୍ନ ହସ୍ତତନ୍ତର ପ୍ରୋତ୍ସାହନ ତଥା ବୁଣାକାରମାନଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରୟାସ । ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଅର୍ଥାତ ଶୁକ୍ରବାର ଦିନ ହସ୍ତତନ୍ତ ଲୁଗା ପିନ୍ଧିବାକୁ ଅନୁରୋଧ କରାଯାଇଛି । ଏନେଇ ଚିଠି ଲେଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢୀ ।

ସମ୍ବଲପୁରୀ ବସ୍ତ୍ରର ଚାହିଦା ସବୁବେଳେ ରହିଛି । ନୂଆ ପିଢି ଆଇଏଏସ୍ ଅଧିକାରୀ ମାନେ ଏହି ସମ୍ବଲପୁରୀ ବସ୍ତ୍ରକୁ ବେଶ ପସନ୍ଦ କରୁଛନ୍ତି । ନୂଆ ପିଢିର ଆଇଏଏସ ଅଧିକାରୀ ସୋନପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ , ବରଗଡ଼ ଜିଲ୍ଳାପାଳ ଓ ସମ୍ବଲପୁର ଜିଲ୍ଳାପାଳ ହସ୍ତତନ୍ତ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି । ସମ୍ବଲପୁରୀ ଶାଢୀ ନିଜେ ପିନ୍ଧିବା ସହିତ ଅନ୍ୟମାନେ କିଭଳି ଏହାର ବହୁଳ ବ୍ୟବହାର କରିପାରିବେ ସେଦିଗରେ ଉତ୍ସାହିତ କରିଛନ୍ତି । ଖାଲିସେତିକି ନୁହେଁ ବୁଣାକାର ମାନଙ୍କୁ ମଧ୍ୟ ବେଶ ପ୍ରଶଂସା କରିଛନ୍ତି । ସମ୍ବଲପୁରୀ ପାଟରୁ ନେଇ ମାଣିଆବନ୍ଧ ପର୍ଯ୍ୟନ୍ତ ସବୁଥିରେ ହେଉଥିିବା କାରୁକାର୍ଯ୍ୟ ବେଶ୍ ଚମକ୍ରାର ବୋଲି କହିବା ସହିତ ସମସ୍ତେ ଏହି ହସ୍ତତନ୍ତ ବ୍ୟବହାର କରିବାକୁ ପରାମର୍ଶ ବି ଦେଇଛନ୍ତି ।

ଆଇଏଏସ ଅରବିନ୍ଦ କୁମାର ପାଢୀଙ୍କ ପତ୍ନୀ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉଷା ପାଢୀ ମଧ୍ୟ ୨୦୧୨ ମସିହାରେ ଏଭଳି ଏକ ଉଦ୍ୟମ ଆରମ୍ଭ କରିଥିଲେ । ସେତେବେଳେ ସେ ଶିକ୍ଷା ବିଭାଗର ସଚିବ ରହିଥିଲେ । ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ହସ୍ତତନ୍ତ ପରିଧାନ ପିନ୍ଧିବାକୁ ସେ ଅନୁରୋଧ କରିଥିଲେ । ଏବେ ତାଙ୍କ ସ୍ୱାମୀ ଏଭଳି ଏକ ଉଦ୍ୟମ କରି ଚର୍ଚ୍ଚାରେ ରହିଛନ୍ତି । ଏହି ଆଇଏଏସ ଦମ୍ପତ୍ତି ସବୁ ବେଳେ ହସ୍ତତନ୍ତ ଲୁଗାକୁ ପ୍ରୋତ୍ସାହନ ଦେବା ସହ ଏହାକୁ ପରିଧାନ କରିଥାନ୍ତି ।