ବିଶାଖାପାଟଣା ଟେଷ୍ଟରେ ଟିମଇଣ୍ଡିଆର ଦମଦାର ବିଜୟ । ୩୯୫ ରନକୁ ପିଛା କରି ୨୦୩ ରନରେ ହାରିଲା ଦକ୍ଷିଣ ଆଫ୍ରିକା

ସାମି ଓ ଜାଡେଜାଙ୍କ ଘାତକ ବୋଲିଂରେ ଦଳକୁ ଦେଲେ ବିଜୟ; ୧-୦ରେ ଭାରତ ସିରିଜ ଆଗୁଆ

391

କନକ ବ୍ୟୁରୋ: ବିଶାଖାପାଟଣା ଟେଷ୍ଟରେ ଟିମଇଣ୍ଡିଆର ଦମଦାର ବିଜୟ । ମହମ୍ମଦ ସାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ବୋଲିଂ ବଳରେ ଶେଷ ଦିନରେ ମ୍ୟାଚ ଜିତି ନେଇଛି କୋହଲି ବ୍ରିଗେଡ୍ । ଭାରତର ୩୯୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍ ସମସ୍ତ ୱିକେଟ୍ ହରାଇ ୧୯୧ ରନରେ ଅଲଆଉଟ୍ ହୋଇଯାଇଥିଲା । ସାମି ୫ଟି , ଜାଡେଜା ୪ ଟି ୱିକେଟ୍ ଦଖଲ କରିଥିବା ବେଳେ ଅଶ୍ୱିନ୍ ଗୋଟିଏ ୱିକେଟ୍ ଦଖଲ କରିଥିଲେ । ଏହି ବିଜୟ ସହିତ ଭାରତ ଟେଷ୍ଟ ସିରିଜରେ ଏକ ଶୂନରେ ଆଗୁଆ ହୋଇଛି ।

ଅନ୍ୟପକ୍ଷରେ ଟିମଇଣ୍ଡିଆର ଷ୍ଟାର ସ୍ପିନ୍ ବୋଲର ଆର୍ ଅଶ୍ୱିନ୍ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଏକ ବଡ ରେକର୍ଡ ନିଜ ନାଁରେ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ୟୁନିସ୍ ଡି ବ୍ରୁଇନଙ୍କ ୱିକେଟ୍ ଦଖଲ କରି ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୩୫୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି । ଏପରି କରିବାରେ ଶ୍ରୀଲଙ୍କାର ମହାନ୍ ସ୍ପିନର ମୁଥୟା ମୁରଲିଧରନଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ଅଶ୍ୱିନ୍ । ମୁରଲିଧରନ ଓ ଅଶ୍ୱିନ୍ ଉଭୟ ୬୬ଟି ଟେଷ୍ଟ ମ୍ୟାଚରୁ ଏହି ସଫଳତା ହାସଲ କରିଛନ୍ତି ।

ମୁରଲିଧରନ ୨୦୦୧ ମସିହାରେ ଟେଷ୍ଟ କ୍ରିକେଟରେ ୩୫୦ ୱିକେଟ୍ ଦଖଲ କରିଥିଲେ । ଟେଷ୍ଟ କ୍ରିକେଟରେ ୮୦୦ ୱିକେଟ୍ ହାସଲ କରିବାର ବିରଳ ରେକର୍ଡ ହାସଲ କରିବାର ଏକମାତ୍ର ଖେଳାଳି ହେଉଛନ୍ତି ମୁରଲିଧରନ । ଅଶ୍ୱିନଙ୍କ ଏପରି ସଫଳତା ପରେ ଟ୍ୱିଟ୍ କରି ଶୁଭେଛା ଜଣାଇଛି ବିସିସିଆଇ । ଲଗାତର ୫ଟି ଟେଷ୍ଟରୁ ବାହାରେ ରହିବା ପରେ ଦଳକୁ ଫେରିବା ମାତ୍ରେ ସୁଯୋଗର ସଦ ବ୍ୟବହାର କରି ୭ ୱିକେଟ୍ ଦଖଲ କରି ଅଶ୍ୱିନ୍ ଏହି ରେକର୍ଡ ନିଜ ନାଁରେ କରିଛନ୍ତି ।