ରେଳ ଷ୍ଟେସନ ସମେତ ବସଷ୍ଟାଣ୍ଡ, ବିମାନବନ୍ଦର ଏବଂ ମଲରେ ମିଳିବ ମାଟିପାତ୍ରରେ ଚା’। ପେପର ଓ ପ୍ଲାଷ୍ଟିକରେ ପାନୀୟ ପଦାର୍ଥ ଦେବା ଉପରେ ବି ଲାଗିବ କଟକଣା

519

ଖୁବ୍ ଶୀଘ୍ର ଦେଶର ପ୍ରମୁଖ ରେଳ ଷ୍ଟେସନ, ବସଷ୍ଟାଣ୍ଡ, ଏୟାରପୋର୍ଟ ଏବଂ ମଲଗୁଡିକରେ ମାଟିପାତ୍ରରେ ପରସା ଯିବ ଆପଣଙ୍କ ମନପସନ୍ଦର ଚା’ । ଏସଂପର୍କରେ କେନ୍ଦ୍ରୀୟ ପରିବହନ ଏବଂ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ବର୍ତ୍ତମାନ କେବଳ ବାରଣାସୀ ଏବଂ ରାଏବରେଲୀ ରେଳ ଷ୍ଟେସନରେ ଟେରାକୋଟାରୁ ନିର୍ମିତ ମାଟିପାତ୍ର, ଗ୍ଲାସ୍ ଏବଂ ପ୍ଲେଟର ବ୍ୟବହାର କରାଯାଉଛି । ତେବେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦନ ବୃଦ୍ଧି ଲାଗି ମାଟିପାତ୍ର ନିର୍ମାଣ ପାଇଁ ଆବଶ୍ୟକ ସାହାର୍ଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ । ବିମାନବନ୍ଦର ଏବଂ ବସ ଡିପୋ ଏବଂ ଚା ଦୋକାନରେ ଏହାକୁ ବାଧ୍ୟତାମୂଳକ କରିବାକୁ ଗଡକରୀ ପରାମର୍ଶ ଦେଇଛନ୍ତି।

୧୦୦ଟି ରେଳ ଷ୍ଟେସନରେ ବାଧ୍ୟତାମୂଳକ ହେବ ମାଟିପାତ୍ର

ନିତିନ ଗଡକରୀ ଗତ ରବିବାର ନିଜ ବୟାନରେ କହିଛନ୍ତି ଯେ, ରେଳମନ୍ତ୍ରୀ ପିୟୁଷ ଗୋଇଲଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖାଯାଇଛି । ଯେଉଁଥିରେ ଗଡକରୀ ଅତି କମରେ ୧୦୦ଟି ରେଳ ଷ୍ଟେସନରେ ମାଟିପାତ୍ର ବ୍ୟବହାର କରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିସହିତ ହିଁ ଏୟାରପୋର୍ଟ, ରାଜ୍ୟ ପରିବହନ ନିଗମ ଦ୍ୱାରା ଅଧିକୃତ ବସଷ୍ଟାଣ୍ଡ ଏବଂ ବିଭିନ୍ନ ଦୋକାନରେ ବି ମାଟିପାତ୍ରର ବ୍ୟବହାର ବାଧ୍ୟତାମୂଳକ କରାଯାଉ । ଗଡକରୀ କହିଛନ୍ତି କି ମଲଗୁଡିକରେ ବି ଥିବା ଚା’ ଦୋକାନୀ କର୍ତ୍ତୃପକ୍ଷଙ୍କୁ ବି ମାଟିପାତ୍ରର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବ ।

କେନ୍ଦ୍ରୀୟ ପରିବହନ ମନ୍ତ୍ରୀଙ୍କ କହିବା ଅନୁସାରେ, ଏଭଳି ପଦକ୍ଷେପ ଦ୍ୱାରା ସ୍ଥାନୀୟ କୁମ୍ଭାରଙ୍କୁ ରୋଜଗାରର ଏକ ବଡ ବଜାର ମିଳିବ ଏବଂ ମାଟିପାତ୍ରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସହିତ ପରିବେଶକୁ ସଫା ରଖିବାରେ ସହାୟତା କରିବ । ଏହା ଦ୍ୱାରା ପେପର ଏବଂ ପ୍ଲାଷ୍ଟିକରେ ପାନୀୟ ପଦାର୍ଥ ଦେବା ଉପରେ ବି କଟକଣା ଲଗିବ ।