ବ୍ରାହ୍ମଣ ବେଶରେ ବିଧାନସଭାରେ ପଶିଲେ ତାରା । ଗଙ୍ଗା ପାଣି ଛିଞ୍ଚିଲେ, କହିଲେ ଓମ ଶାନ୍ତି ଓମ ଶାନ୍ତି ।

264

କନକ ବ୍ୟୁରୋ : ଥମୁନି ମମିତା ଝଡ । ବାହାରେ ପାଗ କୋହଲା, କିନ୍ତୁ ବିଧାନସଭାରେ ତାତି ପ୍ରବଳ । ଗତ ୪ ଦିନ ହେବ ଗୃହରେ ମମିତା ମୃତ୍ୟୁ ତାତି ଦେଖିବାକୁ ମିଳୁଛି । ଗୃହ ଚାଲିପାରୁନି, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଏକ ପ୍ରକାର ଠପ ହୋଇଯାଇଛି । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ୱତି ଉଦ୍ୟମ କରୁଥିଲେ ମଧ୍ୟ ଫଳ ଶୂନ । ଏପରିକି ମମିତା ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେବା ପରେ ମଧ୍ୟ ବୁଝିବାକୁ ବିରୋଧୀ ନାରାଜ । ବିରୋଧୀଙ୍କ ଗୋଟିଏ ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ, ମାମଲାର ସିବିଆଇ ତଦନ୍ତ ହେଉ । ଆଉ ଆଜି ଏହି ପ୍ରସଙ୍ଗରେ ଗୃହରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ ବିରୋଧୀ ।

ସବୁଥର ଭଳି ବିରୋଧୀଙ୍କ ହାତରେ ପ୍ଲାକର୍ଡ ଥିଲା, ଦିବ୍ୟଶଙ୍କରଙ୍କ ବିରୋଧରେ ନାରାବାଜି ହେଉଥିଲା । କିନ୍ତୁ ଏହି ସମୟରେ ବିଧାନସଭା ଗୃହ ଭିତରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା । ହଠାତ୍ ଧୋତି ଓ ଗାମୁଛା ପକାଇ ବିଧାନସଭାରେ ପଶିଲେ ତାରା । ପୂରା ବ୍ରାହ୍ମଣ ବେଶରେ । ହାତରେ ଥିଲା ଢାଳ, ଆଉ ଢାଳ ଭିତରେ ଗଙ୍ଗାଜଳ, ଗୋମୂତ୍ର ମିଶ୍ରିତ ଜଳ । ଆଉ ତାରାଙ୍କ ଏଭଳି ବେଶ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ ।

କେହି କିଛି ଭାବିବା ପୂର୍ବରୁ ଅନ୍ୟ କଂଗ୍ରେସ ବିଧାୟକଙ୍କ ସହ ପୋଡିୟମ ମୁହାଁ ହେଲେ ତାରା । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକ ଘଣ୍ଟ ବଜାଇବା ଆରମ୍ଭ କଲେ ଆଉ ତାରା ଢାଳରେ ଆଣିଥିବା ଗଙ୍ଗାପାଣି ଛିଞ୍ଚି ଚାଲିଲେ । ଗୃହ ସାରା ବୁଲି ଏହି ପାଣି ଛିଞ୍ଚିବା ସହ ପୋଡିୟମ ଉପରେ ମଧ୍ୟ ଏହି ପାଣି ସିଞ୍ଚନ କଲେ । ଓମ୍ ଶାନ୍ତି ଓମ୍ ଶାନ୍ତି ନାରାରେ ପ୍ରକମ୍ପିତ ହେଲା ପୂରା ଗୃହ । ଶେଷରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଆସନରେ ଏହି ପାଣି ସିଞ୍ଚନ କରିବା ପରେ ତାରା କହିଥିଲେ ଏହି ପବିତ୍ର ଗୃହକୁ ଅପବିତ୍ର କରିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର । ମମିତା ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରି ପ୍ରତିବାଦ ଜଣାଇଥିଲେ । ଏପରିକି ଦିବ୍ୟଶଙ୍କର ମନ୍ତ୍ରୀପଦରୁ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ତେବେ ବିଧାନସଭା ଭିତରେ ତାରାଙ୍କ ଏଭଳି ପ୍ରତିବାଦ ଷ୍ଟାଇଲକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।