ତାଇୱାନକୁ ବାରମ୍ବାର ଡରାଇବାରେ ଲାଗିଛି ଚୀନ୍ । ଉଡାଇଲା ୬୮ ଯୁଦ୍ଧ ବିମାନ, ୧୩ ଯୁଦ୍ଧ ଜାହାଜ ତାଇୱାନ୍ ସୀମାକୁ ଛାଡି କଲା ଶକ୍ତି ପ୍ରଦର୍ଶନ 

237

କନକ ବ୍ୟୁରୋ : ତାଇୱାନକୁ ବାରମ୍ବାର ଡରାଇବାରେ ଲାଗିଛି ଚୀନ୍ । ତାଇୱାନରେ ୬୮ଟି ଯୁଦ୍ଧ ବିମାନ ଉଡାଇଛି ଚୀନ୍ । ଏହା ସହ ୧୩ଟି ଯୁଦ୍ଧ ଜାହାଜ ତାଇୱାନ୍ ସୀମାକୁ ଛାଡି ଶକ୍ତି ପ୍ରଦର୍ଶନ କରିଛି । ଚୀନର ଏପରି କାର୍ଯ୍ୟକୁ ତାଇୱାନ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଗଭୀର ନିନ୍ଦା କରିଛି । ଜାଣିଶୁଣି ଚୀନ୍ ସୀମା ରେଖା ଡେଇଁ ତାଇୱାନର ସୁରକ୍ଷା ଉପରେ ଅଙ୍ଗୁଳି ଉଠାଇଛି ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଜଳ ଓ ଆକାଶ ମାର୍ଗରୁ ଚୀନ୍ ସୀମା ଲଂଘି ପରିସ୍ଥିତିି ବିଗାଡିବାରେ ଲାଗିଛି । ଚୀନର ସବୁ କାର୍ଯ୍ୟକଳାପ ଉପରେ ତାଇୱାନ୍ ନଜର ରଖିଛି । ସ୍ଥିତି ଅନୁଧ୍ୟାନ ପାଇଁ କିଛି ବିମାନ ଓ ଜାହାଜ ପଠାଇଛି ।

ସେପଟେ ନାନ୍ସି ପେଲୋସୀଙ୍କ ତାଇୱାନ୍ ଗସ୍ତ ବିରୋଧରେ ଚୀନ୍ ଆମେରିକା ଉପରେ କିଛି କଟକଣା ଲଗାଇଛି । ଜଳବାୟୁ ପରିବର୍ତନ, ପ୍ରତିରକ୍ଷା ଭଳି ପ୍ରସଙ୍ଗରେ ଆମେରିକା ସହ କୌଣସି ଆଲୋଚନା ନକରିବାକୁ ନିଷ୍ପତି ନେଇଛି ଚୀନ୍ । ଦୁଇ ଦେଶର ଏରିଆ କମାଣ୍ଡର ଓ ପ୍ରତିରକ୍ଷା ବିଭାଗ ମୁଖ୍ୟଙ୍କ ମଧ୍ୟରେ କୌଣସି ଆଲୋଚନା ହେବ ନାହିଁ ବୋଲି ଚୀନର ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ସହ ସାମୁଦ୍ରିକ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ହେବ ନାହିଁ ବୋଲି କହିଛି ଚୀନ୍ ବିଦେଶ ମନ୍ତ୍ରାଳୟ ।