ଆଜି ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

127

କନକ ବ୍ୟୁରୋ : ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦର ସଦସ୍ୟମାନେ ଭୋଟ୍ ଦେଇ ଦେଶର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ କରିବେ । ଏନଡିଏ ପ୍ରାର୍ଥୀ ତଥା ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଭୋଟ୍ ଗ୍ରହଣ । ମନୋନିତ ସଦସ୍ୟଙ୍କ ସହ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେବେ ।
ଏଥର ଇଲେକ୍ଟୋରାଲ କଲେଜ ସଦସ୍ୟଙ୍କ ସଂଖ୍ୟା ୭୮୮ ରହିଛି । ଏଥି ମଧ୍ୟରୁ ରାଜ୍ୟସଭାର ୨୩୩ ନିର୍ବାଚିତ ଓ ୧୨ ମନୋନୀତ ସଦସ୍ୟ ରହିଛନ୍ତି । ସେହିପରି ଲୋକସଭାର ୫୪୩ ନିର୍ବାଚିତ ସଦସ୍ୟ ରହିଛନ୍ତି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ସହଜରେ ନିର୍ବାଚିତ ହେବା ଏପ୍ରକାର ନିଶ୍ଚିତ । ବିରୋଧୀ ଦଳ ମଧ୍ୟରେ ଏକତାର ଅଭାବ ରହିଛି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଭୋଟରୁ ଦୂରେଇ ରହିବ ବୋଲି ପୂର୍ବରୁ ଘୋଷଣା କରିଛି । ଟିଏମସିର ଲୋକସଭାରେ ୨୩ ଓ ରାଜ୍ୟସଭାରେ ୧୬ ସଦସ୍ୟ ରହିଛନ୍ତି । ଆଲଭାଙ୍କୁ କଂଗ୍ରେସ ସମେତ ଏନସିପି, ଆପ୍, ଟିଆରଏସ୍, ସିପିଆଇ, ସିପିଏମ୍, ଆରଜେଡି, ଡିଏମ୍କେ, ଏଡିଏମକେ, ଜେଏମଏମ୍, ଆରଏଲଡି ଭଳି ଦଳ ସମର୍ଥନ କରୁଛନ୍ତି । କିନ୍ତୁ ଆଲଭାଙ୍କ ପାଇଁ ଏହା ଯଥେଷ୍ଟ ହେବ ନାହିଁ ।