ରାସ୍ତା ପାଲଟିଲା ଜନସମୁଦ୍ର । ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରାରେ କମ୍ପିଲା ରାୟବରେଲୀ । ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ

147

କନକ ବ୍ୟୁରୋ : ଶୁକ୍ରବାର ଦିନ ରାୟବରେଲୀ ଆସନରୁ ରାହୁଲ ଗାନ୍ଧୀ ନାମାଙ୍କନ ଭରିଛନ୍ତି । ଏହି ନାମାଙ୍କନ ବେଳେ ସୋନିଆ ଗାନ୍ଧୀ. ପ୍ରିୟଙ୍କା ଗାନ୍ଧୀ ଓ ଅଶୋକ ଗେହଲଟ ଉପସ୍ଥିତ ଥିଲେ । ନାମାଙ୍କନର ମାତ୍ର କିଛି ଘଣ୍ଟା ପୂର୍ବରୁ ରାୟବରେଲୀ ଆସନ ପାଇଁ କଂଗ୍ରେସ ତରଫରୁ ରାହୁଲ ଗାନ୍ଧୀଙ୍କ ନାମ ଘୋଷଣା କରାଯାଇଥିଲା । ଏହାପରେ ରାହୁଲ ଗାନ୍ଧୀ ରାୟବରେଲୀ ସ୍ଥିତ ଫୁରସତଗଞ୍ଜ ବିମାନବନ୍ଦରରେ ମା’ ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ କିଛି ନେତାଙ୍କ ସହ ଓହ୍ଲାଇଥିଲେ  ।

ପୂର୍ବରୁ ଦଳ ତରଫରୁ ସମସ୍ତ ବ୍ୟବସ୍ଥା ହୋଇସାରିଥିଲା । ବିମାନରୁ ରାହୁଲ ଗାନ୍ଧୀ ଓହ୍ଲାଇବା ପରେ ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକ ତାଙ୍କୁ ସ୍ୱାଗତ କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇଥିଲେ । ତାଙ୍କ ନାମାଙ୍କନ ଶୋଭାଯାତ୍ରାରେ ସମର୍ଥକଙ୍କର ପ୍ରବଳ ଭିଡ ଲାଗିଥିଲା ।

ଅନେକ ଦିନ ଧରି ଲାଗିଥିବା ସସ୍ପେନ୍ସର ଅବସାନ କରି ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ରାୟବରେଲୀ ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି । ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ନିର୍ବାଚନ କ୍ଷେତ୍ର ରହିଥିଲା । ରାୟବରେଲୀ ଲୋକସଭା ଆସନ ପାଇଁ ମେ’୨୦ ତାରିଖରେ ଭୋଟ ଗ୍ରହଣ ହେବ । ସେପଟେ ଆମେଠୀରୁ ସ୍ମୃତି ଇରାନୀଙ୍କ ବିପକ୍ଷରେ କଂଗ୍ରେସରୁ କଶୋରୀ ଲାଲ ଶର୍ମା ନାମାଙ୍କନ ଭରିଛନ୍ତି । ତାଙ୍କ ନାମାଙ୍କନ ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ ।