ଇତିହାସ ରଚିଲା ଆମେଠୀ ଆସନ । ୩୧ ବର୍ଷର କ୍ଷମତା, ଏବେ ୨୫ ବର୍ଷ ପରେ ବିନା ଗାନ୍ଧୀ ପରିବାରରେ ଆମେଠୀ ହେବ ନିର୍ବାଚନ

231

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଆମେଠୀ ଲୋକସଭା ଆସନରେ ଗାନ୍ଧୀ ପରିବାରର ଦବଦବା ଦୀର୍ଘ ୨୫ ବର୍ଷ ଦେଖିବାକୁ ମିଳିଥିଲା । ହେଲେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିନା ଗାନ୍ଧୀ ପରିବାରରେ ଆମେଠୀରେ ନିର୍ବାଚନ ହେବାକୁ ଯାଉଛି । ୧୯୬୭ ମସିହାରେ ଲୋକସଭା କ୍ଷେତ୍ରର ମାନ୍ୟତା ପାଇଥିବା ଆମେଠୀକୁ ଗାନ୍ଧୀ ପରିବାରର ଗଡ ବୋଲି କୁହାଯାଇଥାଏ । ସଂସଦରେ ଆମେଠୀରୁ ୩୧ ବର୍ଷ ଧରି ଗାନ୍ଧୀ ପରିବାରର କେହି ନା କେହି ପ୍ରତିନିଧୀତ୍ୱ କରୁଥିଲେ।

ଗତ ୨୦୧୯ ନିର୍ବାଚନରେ ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଏଠାରୁ ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ୫୫ ହଜାର ଭୋଟରେ ପରାଜିତ କରିଥିଲେ । ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଠୀ ଛାଡି ରାୟବରେଲୀରୁ ପ୍ରାର୍ଥୀ ହେଉଛନ୍ତି । ହେଲେ ଗାନ୍ଧୀ ପରିବାରର ନିକଟତର କୁହାଯାଉଥିବା କେଶୋରୀ ଲାଲ ଶର୍ମା ଏଥର ଆମେଠୀରେ ସ୍ମୃତି ଇରାନୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ।

କେଶୋରୀ ଲାଲ ଶର୍ମା ଗାନ୍ଧୀ ପରିବାର ତରଫରୁ ଆମେଠୀ ଓ ରାୟବରେଲୀ ଲୋକସଭା କ୍ଷେତ୍ରର ପ୍ରଭାରୀ ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ୧୯୯୮ ମସିହାରେ ଆମେଠୀ ଆସନରୁ ଅଣ ଗାନ୍ଧୀ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ଏଠାରୁ ସୋନିଆ ଓ ରାଜୀବଙ୍କ ନିକଟତର କୁହାଯାଉଥିବା ସତୀଶ ଶର୍ମା ନିର୍ବାଚନ ଲଢିଥିଲେ । ହେଲେ ସେ ବିଜେପିର ସଂଜୟ ସିଂଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ପୁଣି ୧୯୯୯ ମସିହାରେ ହୋଇଥିବା ନିର୍ବାଚନରେ ସୋନିଆ ଗାନ୍ଧୀ ସଂଜୟ ସିଂଙ୍କୁ ୩ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରି ଗଡ ହାତେଇଥିଲେ । ହେଲେ ୨୦୦୪ ମସିହାରେ ସୋନିଆ ଗାନ୍ଧୀ ରାହୁଲଙ୍କ ପାଇଁ ଏହି ଆସନ ଛାଡି ନିକଟବର୍ତ୍ତୀ ରାୟବରେଲୀ ଆସନରୁ ନିର୍ବାଚନ ଲଢିଥିଲେ । ରାହୁଲ ଗାନ୍ଧୀ ୨୦୦୪,୨୦୦୯ ଓ ୨୦୧୪ କ୍ରମାଗତ ଭାବେ ଏହି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ୨୦୧୯ ରେ ସେ ବିଜେପିର ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ ।