‘ଓଡିଆ ଅସ୍ମିତା’କୁ ନେଇ ବିଜେଡିର ପ୍ରେସମିଟ୍ । ଓଡିଶାର କଳା, ସଂସ୍କୃତିର ବିକାଶରେ ବିଜେପି ବାଧକ ହୋଇଛି ବୋଲି କହିଲେ ସଞ୍ଜୟ ଦାସବର୍ମା ।

147

କନକ ବ୍ୟୁରୋ: ଓଡିଶାର ଅସ୍ମିତାକୁ ନେଇ ବିଜେଡି କରିଛି ସାମ୍ବାଦିକ ସମ୍ମିଳନୀ । ଏଥିରେ ନବୀନ ସରକାରଙ୍କ ୨୪ ବର୍ଷ ଶାସନ ସମୟରେ ଓଡିଶାର ଭାଷା, ସଂସ୍କୃତି, ଐତିହ୍ୟର ବିକାଶ ଓ ସଂରକ୍ଷଣ ନେଇ କ’ଣ କ’ଣ ପଦକ୍ଷେପ ନିଆଯାଇଛି ତା’ ଉପରେ ସବିଶେଷ ବିବରଣୀ ରଖିଛନ୍ତି ସଞ୍ଜୟ ଦାସବର୍ମା ।

ସେ କହିଛନ୍ତି, ଓଡିଆ ଅସ୍ମିତାକୁ ବଜାୟ ରଖିବାକୁ ବିଜେଡି ସରକାର ଯଥାସାଧ୍ୟ ଚେଷ୍ଟା କରିଆସିଛନ୍ତି । ରାଜ୍ୟର ଐତିହ୍ୟକୁ ବଞ୍ଚାଇ ରଖିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର କ୍ୟାବିନେଟ୍ ଗଠନ କରିଛନ୍ତି । ଏହା ଭିତରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ, ଓ ଏକାମ୍ର ପ୍ରକଳ୍ପକୁ ସାର୍ଥକ କରାଯାଇଛି । ଏହାସହ ଓଡିଆ ଭାଷାର ବିକାଶ ପାଇଁ ପ୍ରଥମ ପାଇଁ ଭୁବନେଶ୍ୱରରେ ‘ଓଡିଆ ଭାଷା ସମ୍ମିଳନୀ’ ଆୟୋଜନ କରାଯିବା ସହ , ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡିଆ ଭାଷାରେ ଫେଲୋସିପ ତଥା ଗବେଷଣାମୂଳକ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ସ୍କଲାରସିପ୍ ବ୍ୟବସ୍ଥା କରିଛନ୍ତି । ଏହାସହ ଫକୀରମୋହନ ଛାତ୍ର ବୃତ୍ତିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଦେଶ ତଥା ବିଶ୍ୱରେ ଓଡିଶାର ଅସ୍ମିତାକୁ ବଜାୟ ରଖିବାକୁ ବନାରସ୍ ହିନ୍ଦୁ ୟୁନିଭର୍ସିଟିରେ ସ୍ୱତନ୍ତ୍ର ବେଞ୍ଚ ପ୍ରତିଷ୍ଠା କରାଯାଇଛି । ଲୋକକଳାର ବିକାଶ , ପ୍ରଚାର ଓ ପ୍ରସାର ପାଇଁ ବ୍ଲକ ସ୍ତରରେ ପଦକ୍ଷେପ ନିଆଯାଇଛି । ‘ବନ୍ଦେ ଉକ୍ରଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି । ଓଡିଆ ଭାଷାର ବିକାଶ ପାଇଁ ଓଡିଆ ପୁସ୍ତକ ଗୁଡିକୁ ଡିଜିଟାଲଇଜ୍ କରାଯାଇଛି ।

ବିଶେଷ କରି ଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ପ୍ରଚର, ପ୍ରସାର କରିବାକୁ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେଲା । କିନ୍ତୁ ପରିତାପର ବିଷୟ ଯେଉଁ ବିରୋଧୀ ନେତା ଏବେ ଓଡିଆ ଅସ୍ମିତା କଥା କହୁଛନ୍ତି ସେହିମାନେ ହିଁ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ । ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଆହ୍ୱାନ ଦେଇଥିଲେ । ହେଲେ ବିରୋଧୀ ଏହି ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରି ଆଖି ବୁଜିଦେଲେ । ତେଣୁ କହିବାକୁ ଗଲେ ଓଡିଶାର ସଂସ୍କୃତି ଓ କଳାର ବିକାଶ ଦିଗରେ ବିଜେପି ନେତା ବାଧକ ହୋଇଛନ୍ତି ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।