କୋରେଇ ଜମୁଛି ନିର୍ବାଚନୀ ପ୍ରଚାର । ଆକାଶ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି, ପାରଳାଖେମୁଣ୍ଡିରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ଅଭିନେତ୍ରୀ ପ୍ରିୟା

416

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଉଛି ରାଜନୀତି । କୋରେଇ ବିଧାନସଭା ଆସନ ପାଇଁ ଜମୁଛି ପ୍ରଚାର । ଏହି ଆସନରେ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଆକାଶ ଦାସ ନାୟକ ଏବଂ କଂଗ୍ରେସ ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥୀ କରିଛି । ତେବେ ଆକାଶ ଦାସଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସ ନାୟକ । ବ୍ୟାସନଗର ପୌରାଂଚଳରେ ମହିଳା କର୍ମୀଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । କୋରେଇ ଅସ୍ମିତା, ସ୍ୱାଭିମାନ ଓ ସମ୍ନାର କଥା କହି ଆକାଶ ଦାସ ନାୟକଙ୍କ ପାଇଁ ଭୋଟ ମାଗୁଛନ୍ତି ତାଙ୍କ ପତ୍ନୀ ।

ସେପଟେ ଗଜପତି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଉଷ୍ମ ହେଉଛି ନିର୍ବାଚନ ପ୍ରଚାର । ଏହି ଆସନରେ ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଗୀତ ଗାଉଛନ୍ତି, ଡାଇଲଗ୍ ବି କହୁଛନ୍ତି । ଗୁରୁବାର ଗୋଷାଣୀ ବ୍ଲକରେ ବାଇକ ରାଲି ସହ ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ପ୍ରିୟା । ପ୍ରିୟାଙ୍କୁ ଷ୍ଟାର କ୍ୟାମ୍ପେନର କରିଛି ଦଳ । ସେହିପରି ରୂପେଶ ପାଣିଗ୍ରାହୀଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଛନ୍ତି ।