ରାୟ ଶୁଣାଇବାରେ ବିଳମ୍ବକଲେ ସୁପ୍ରିମକୋର୍ଟ ବିଚାରପତି, ଅଦାଲତରେ କ୍ଷମାମାଗିଲେ ଜଷ୍ଟିସ ଗଭାଇ।

145

କନକ ବ୍ୟୁରୋ: ସୁପ୍ରିମକୋର୍ଟର ଜଷ୍ଟିସ ବିଆର ଗଭାଇ ଗୋଟିଏ ମାମଲାର ରାୟ ଶୁଣାଇବାରେ ବିଳମ୍ବ କରିବାରୁ କ୍ଷମା ମାଗିଛନ୍ତି । ନ୍ୟାୟ ବ୍ୟବସ୍ଥାରେ ଏଭଳି ଘଟଣା ବିରଳ ହୋଇଥିବା ବେଳେ ଜଷ୍ଟିସ ଗଭାଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଦେଶର ନ୍ୟାୟ ବ୍ୟବସ୍ଥାରେ ପ୍ରଥମ ଥର ଏଭଳି ଦେଖିବାକୁ ମିଳିଛି । ଜଷ୍ଟିସ ଗଭାଇ ଚଣ୍ଡିଗଡ ସମ୍ବନ୍ଧିତ ମାମଲାରେ ଫଇସଲା ଶୁଣାଇବାରେ ୨ମାସ ବିଳମ୍ବ କରିଥିଲେ । ଏହାକୁ ନେଇ ସେ ଅଦାଲତରେ କ୍ଷମା ମାଗିଛନ୍ତି । କେବଳ ଏତିକି ନୁହେଁ ସେ ବିଳମ୍ବର କାରଣ ମଧ୍ୟ ପକ୍ଷକାର ମାନଙ୍କୁ ଜଣାଇଦେଇଥିଲେ ।

ସୂଚନା ଅନୁସାରେ ଜଷ୍ଟିସ ବିଆର ଗଭାଇ ଏବଂ ଏମଏମ ସୁନ୍ଦରେଶ ଚଣ୍ଡିଗଡ ସହରରେ ଏକ ଆବାସିକ ଆପାର୍ଟମେଣ୍ଟବିରୋଧରେ ଦାଏର ହୋଇଥିବା ମାମଲାର ଶୁଣାଣି କରୁଥିଲେ । ଏହାର ରାୟ ପ୍ରକାଶ ପାଇଁ ୨ ମାସ ବିଳମ୍ବ ହୋଇଥିଲା । ଯାହାକୁ ନେଇ ଅଦାଲତରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଜଷ୍ଟିସ ଗଭାଇ କହିଥିଲେ, ଆମକୁ ବିଭିନ୍ନ ଆଇନର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ସହ ଘୋଷିତ ସମସ୍ତ ନିୟମ ଉପରେ ବିଚାର କରିବାର ଥିଲା । ଜଷ୍ଟିସ ଗଭାଇ ଏହି କାରଣରୁ ୨୦୨୨ ନଭେମ୍ବର ୩ରେ ରାୟକୁ ସଂରକ୍ଷିତ ରଖିଥିଲେ । ତେବେ ଶେଷ ରାୟ ଶୁଣାଇବାକୁ ୨ ମାସରୁ ଅଧିକ ସମୟ ଲାଗିଯାଇଥିଲା । ଯାହାକୁ ନେଇ ସେ କ୍ଷମାପ୍ରାର୍ଥୀ ।