‘ଟିଭିରେ ସାରା ଦେଶକୁ କ୍ଷମା ମାଗନ୍ତୁ ନୂପୁର ଶର୍ମା’: ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ

743

କନକ ବ୍ୟୁରୋ: ଆଜି ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ରାଜସ୍ଥାନ ଉଦୟପୁରରେ ଜଣେ ନିର୍ଦ୍ଦୋଷ ଦରଜୀଙ୍କୁ ହତ୍ୟା କରିବା ପରେ ସାରା ଦେଶରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି । ଏହାସହ ସୁପ୍ରିମ କୋର୍ଟ ମଧ୍ୟ ଏନେଇ କଡା ନିର୍ଦ୍ଦେଶ ଦେଇଛନ୍ତି । ଉଦୟପୁର ହତ୍ୟା ଘଟଣା ହେଉ ବା ଆଜି ଦେଶରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ହେଉ ସବୁପାଇଁ କେବଳ ନୂପୁର ଶର୍ମା ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଏଥିପାଇଁ ନୂପୁର ଶର୍ମା ଗଣମାଧ୍ୟମ ଜରିଆରେ ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପୈଗମ୍ବର ମହମ୍ମଦଙ୍କ ଉପରେ ନୂପୁରଙ୍କ ବିବାଦୀୟ ବୟାନକୁ ନେଇ ଆଜି ସୁପ୍ରିମକୋର୍ଟ କଡା ଅଭିମୁଖ୍ୟ ପୋଷଣ କରିବା ସହ ସେ କରିଥବା ମାମଲା ଟ୍ରାନ୍ସଫର ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ନୂପୂରଙ୍କ ଜିଭ ପାଇଁ ଆଜି ସାରା ଦେଶରେ ଅସମ୍ଭାଳ ସ୍ଥିତି । ତାଙ୍କର ଗୋଟିଏ ଟିପ୍ପଣୀ ଦେଶରେ ଲୋକଙ୍କ ଭାବନାକୁ ଆଘାତ ଦେଇଛି । ତେଣୁ ଏସବୁ ପାଇଁ ସେ ହିଁ ଦାୟୀ । ତେଣୁ ତାଙ୍କୁ ସାରା ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡିବ ।

ନୂପୁରଙ୍କ ବିବାଦୀୟ ବୟାନକୁ ବିନମ୍ରତାର ସହ ଫେରାଇ ନେବାକୁ ତାଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବି ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ଏଥିପାଇଁ ବହୁତ ଡେରି ହୋଇଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।