ଏକନାଥ ସିନ୍ଦେଙ୍କୁ ସଞ୍ଜୟ ରାୱତଙ୍କ କଟାକ୍ଷ , କହିଲେ ଯେପର୍ଯ୍ୟନ୍ତ ଶିବସେନା ନାମ ନେବେ ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ

355

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାନାଟକର ଅନ୍ତ ଘଟିଛି । ସବୁ କଳ୍ପନା ଜଳ୍ପନାରକୁ ପଛରେ ପକାଇ ଶେଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଛନ୍ତି । ହେଲେ ଏବେ ବି ଜଣେ ଅନ୍ୟଜଣଙ୍କ ଉପରେ କଟାକ୍ଷ କରିବାରୁ ବିରତ ହୋଇ ନାହାଁନ୍ତି । ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାୱତ ସିନ୍ଦେଙ୍କୁ କଟାକ୍ଷ କରି କହିଛନ୍ତି କି ସିନ୍ଦେ ଯେପର୍ଯ୍ୟନ୍ତ ଶିବସେନାର ନାମ ନେଉଥିବେ ସେପର୍ଯ୍ୟନ୍ତ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରହିବ । ଅନ୍ୟପଟେ କ୍ଷମତାର ଅପବ୍ୟବହାର କରି ପୁରା ଦେଶରେ ବିରୋଧୀଦଳକୁ ହଇରାଣ କରାଯାଉଛି । ଏହାସହ ଆଜି ଇଡିରେ ହାଜର ହେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

କେବଳ ସେତିକି ନୁହେଁ ସଂଜୟ ରାୱତ କହିଛନ୍ତି କି ଦେବେନ୍ଦ୍ର ଫଡନଭିସ ହେଉଛନ୍ତି ଏକନାଥ ସିନ୍ଦେଙ୍କ ଡାହାଣ ହାତ । ଶିବସେନାରେ ରହି ବି ସିନ୍ଦେ ଫଡନଭିସଙ୍କ ସହ ଗୁପ୍ତ ସଂପର୍କରେ ଥିଲେ । ହେଲେ ସିନ୍ଦେଙ୍କ ଅନୁଭବ ମହାରାଷ୍ଟ୍ରବାସୀଙ୍କୁ ଆଗକୁ ନେବାରେ ସହାୟକ ହେବ । ସେପଟେ ମୁଖ୍ୟମନ୍ତ୍ରୀ ପଦ ନମିଳିବାରୁ ଫଡନଭିସ ଖୁସି ନଥିବା କଥା ଏବେ କଥା ଉପରେ ସଂଜୟ ରାୱତ କହିଛନ୍ତି କି ଫଡନଭିସ ଦଳୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିଛନ୍ତି ।