ସୁନ୍ଦରଗଡ ଏଡିଏମଙ୍କ ପୁଳା ପୁଳା ସମ୍ପତ୍ତି: ଏଯାଏଁ ଠାବ ହେଲାଣି ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି

131

କନକ ବ୍ୟୁରୋ: ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ଦୁର୍ନୀତିର ଫର୍ଦ୍ଦ ଭିଜିଲାନ୍ସ ଯେତିକି ଖୋଲୁଛି, ସେତିକି ସଂପତି ସାମ୍ନାକୁ ଆସୁଛି । ସୂଚନା ମିଳିଛି ପାଖାପାଖି ୧୦ କୋଟି ଟଙ୍କାର ସଂପତି ଠାବ କରି ସାରିଲାଣି ଭିଜିଲାନ୍ସ । ହେଲେ ସଂପତି ଖୋଜା ସରୁନାହିଁ ।

କେବଳ ପିସି ନୁହେଁ, ମନି ଲଣ୍ଡରିଂ ନେଇ ମଧ୍ୟ ସୂଚନା ମିଳିଛି । ତେଣୁ ଭିଜିଲାନ୍ସର ଫୋକସ ଏବେ ମନ ଲଣ୍ଡରିଂ ଉପରେ ରହିଛି । ବ୍ୟାଙ୍କ୍ ଆକାଉଂଟ ଯାଂଚ ବେଳେ ୬ଟି ସଂଦେହ ଜନକ କାରବାର ହୋଇଥିବା ଜାଣିବାକୁ ପାଇଛନ୍ତି ତଦନ୍ତ ଅଧିକାରୀ ।

ବ୍ୟାଙ୍କ ଆକାଉଂଟ ଖୋଳତାଡ଼ ବେଳେ ପଦାକୁ ଆସିଛି ସଂଦେହଜନକ କାରବାରର ତଥ୍ୟ । ତୃତୀୟ ବ୍ୟକ୍ତି ଜରିଆରେ କିଭଳି କଳା ଟଙ୍କାକୁ ଧଳା କରୁଥିଲେ, ତାହା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଏପରିକି ପତ୍ନୀଙ୍କ ନାଁରେ ସିମେଂଟ ଗୋଦାମ କରି ବିପୁଳ ପରିମାଣର ଆୟ ଦେଖାଇଛନ୍ତି । ନିଜକୁ ଆଢ଼ୁଆଳରେ ରଖି କଳା ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଛି ।
ପତ୍ନୀଙ୍କ ସହ ଜଏଂଟ ଆକାଉଂଟ ଖୋଲି କଳା ଟଙ୍କା, ଧଳା କରିବା ପାଇଁ ବଡ଼ ଯୋଜନା କରିଥିଲେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ର । ଭିଜିଲାନ୍ସ ସ୍କାନରରେ ବ୍ୟାଙ୍କ ଜମା, ବୀମା ଓ ଜମି । କିପରି ଏତେ ସଂପତି ଠୁଳ କରିଥିଲେ, ତା’ର ପୂରା ଚିଠା ଜାଣିବା ପାଇଁ ଉଦ୍ୟମ କରୁଛି ଭିଜିଲାନ୍ସ ।

ସୁନ୍ଦରଗଡ଼ରେ ବିସ୍ଥାପିତଙ୍କୁ କ୍ଷତିପୂରଣ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ପିସି ନେଇଥିବା ଅଭିଯୋଗ ରହିଛି ବିଶ୍ୱଜିତ ମହାପାତ୍ରଙ୍କ ନାଁରେ । ଜାମିନ୍ ଆବେଦନ ଖାରଜ ହେବା ପରେ ଏବେ ଝାଡ଼ପଡ଼ା ଜେଲରେ ଅଛନ୍ତି ଏହି କରିତକର୍ମା ସରକାର ବାବୁ ।