ନିର୍ବାଚନ ପୂର୍ବରୁ ଜୋର ଧରିଲାଣି ରାଜନୈତିକ ହିଂସା: କେଉଁଠି ପାର୍ଟି ଅଫିସରେ ନିଆଁ, ତ କେଉଁଠି ପଡିଲାଣି ବୋମା

129

କନକ ବ୍ୟୁରୋ: ପ୍ରଚାର ଗାଡିକୁ ଅଟକାଇ ଦୁଇ ଗୋଷ୍ଠୀ ମୁହାଁ ମୁହିଁ । ଏଥିରେ ଆହତ ହୋଥିବା ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଯୋଡା ବ୍ଲକ ପାଳାସା ପଂଚାୟତରେ ଏହି ଘଟଣା ଘଟିଛି । ଏଠାରେ ଦୁଇଗୋଷ୍ଠୀ ସମିତି ସଭ୍ୟ ଓ ସରପଂଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ବିଜେଡି ସମର୍ଥକ ବୋଲି ଦାବି କରୁଛନ୍ତି । ଏହାକୁ ନେଇ ଚାଲିଥିବା ବିବାଦ ଗତକାଲି ଉଗ୍ରରୂପ ନେଇଥିଲା । ପୂର୍ବତନ ବିଧାୟକ ସନା ମହାକୁଡଙ୍କ ସମର୍ଥକ ବିଧାୟିକା ମୀନାକ୍ଷୀ ମହନ୍ତଙ୍କ ସମର୍ଥକକୁ ଆକ୍ରମଣ କରଥିବା ଆହତମାନେ ଅଭିଯୋଗ କରିଛନ୍ତି ।

ବିଜେଡି ପାର୍ଟି ଅଫିସ୍ ଜାଳିଦେଲେ ଦୁର୍ବୃତ । ଗୋପ ବ୍ଲକ ମହଲପଡ଼ା ପଂଚାୟତର ରେଢୁଆ ଗାଁରେ ଥିବା ଦଳୀୟ କାର୍ଯ୍ୟାଳୟରେ ଲାଗିଛି ନିଆଁ । ବିଳମ୍ବିତ ରାତିରେ ଦୁର୍ବୃତମାନେ ପେଟ୍ରୋଲ ପକାଇ ବିଜେଡି କାର୍ଯ୍ୟାଳୟକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ବିଜେଡି ସମର୍ଥିତ ପାର୍ଥୀଙ୍କ ସପକ୍ଷରେ ଜନମତ ବଢୁଥିବାରୁ ବିରୋଧୀ ଏପରି ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଗଜପତି ପାରଳାଖେମୁଣ୍ଡି ଗୋଷାଣୀ ବ୍ଲକ ସରଧାପୁର ଗାଁରେ ରାଜନୈତିକ ହିଂସା । ସରପଂଚ ପ୍ରାର୍ଥୀ ସିଏଚ୍ ପ୍ରସାଦ ରାଓଙ୍କୁ ଆକ୍ରମଣ ପରେ ସେ ଗୁରୁତର ଆହତ ହୋଇଛନ୍ତି । ନିର୍ବାଚନ ପାଇଁ ପ୍ରଚାର ଶୋଭାଯାତ୍ରା ଚାଲିଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଂଟ ଗାଁରେ ରାଜନୈତିକ ହିଂସା । ସରପଂଚ ପ୍ରାର୍ଥୀ ସୁଶୀଲ କୁମାର ମଲ୍ଲିକଙ୍କ ଘର ଉପରକୁ ବିଳମ୍ବିତ ରାତିରେ ବୋମାମାଡ କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କୁ ଧମକ ଦିଆଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଦିନକ ପରେ ନିର୍ବାଚନ ଥିବାରୁ ରାଜନୈତିକ ହିଂସାକୁ ନେଇ ଉତେଜନା ଲାଗିରହିଛି ।