ଭୂମିକମ୍ପରେ ଦୋହଲିଲା ଫିଲିପାଇନ୍ସ : ରିକ୍ଟର ସ୍କେଲରେ ତୀବ୍ରତା ୬. ୬, ଅନେକ କ୍ଷୟକ୍ଷତି ଆଶଙ୍କା

164

କନକ ବ୍ୟୁରୋ : ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ । ଆଜି ସକାଳେ ଦକ୍ଷିଣପୂର୍ବ ଏସୀୟ ଦେଶ ଫିଲିପାଇନ୍ସରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ବୋଲି ଜଣାପଡିଛି । ଏହି ଭୂମିକମ୍ପର କେନ୍ଦ୍ର ମାନିଲାଠାରୁ ୯୭୨ କିମି ଉତ୍ତର-ପୂର୍ବରେ ଥିବା କୋଟାବାଟୋ ରାଜ୍ୟର ଟୁଲୁନାନ ସହର ବୋଲି ଫିଲିପାଇନ୍ସର ଜାତୀୟ ଭୂମିକମ୍ପ ଓ ଆଗ୍ନେୟଗିରି ବିଜ୍ଞାନ ସଂସ୍ଥାନ ପକ୍ଷରୁ କୁହାଯାଇଛି ।

ତେବେ ଏହା ଯୋଗୁଁ ସୁନାମୀ ଆସିବାର କୌଣସି ଆଶଙ୍କା ନାହିଁ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ସମୟ ସକାଳ ୯ଟା (ଭାରତୀୟ ସମୟ ସକାଳ ୬ଟା ୩୦ ମିନିଟ) ବେଳେ ଏହି ଭୂମିକମ୍ପ ଆସିଥିବା ଜଣାଯାଇଛି । ଏହି ଘଟଣାରେ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ପରିମାଣ ସଂପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ହେଲେ ଭୂମିକମ୍ପରେ ଅନେକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି ।

ତେବେ ଟୁଲୁନାନ ସହରରେ ଥିବା ଏକ ସ୍କୁଲର ଛାତ ଭୁଷୁଡିପଡିବାରୁ କେତେକ ଛାତ୍ରଛାତ୍ରୀ ଆହତ ହୋଇଥିବା ଖବର ମିଳିଛି । ପ୍ରାୟ ସପ୍ତାହକ ତଳେ ଏକ ବଡ଼ ଧରଣର ଭୂମିକମ୍ପ ହୋଇ ଫିଲିପାଇନ୍ସରେ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ।