ମୁଁ ଦୁଃଖ ପାଇଲି, ଆଉ କେହି ନ’ପାଆନ୍ତୁ । ପରିବା ବିକିଲେ, ଡାକ୍ତରଖାନା ତିଆରି କଲେ । ସୁଭାଷିନୀଙ୍କ ପଦ୍ମଶ୍ରୀ ପଛର ପୂରା କାହାଣୀ

97

ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ ୮୫ ଜଣଙ୍କ ନାଁ ଘୋଷଣା ହୋଇଛି । ସେଥିମଧ୍ୟରୁ ଏକ ନାଁ ହେଉଛି ସୁଭାଷିନୀ ମିସ୍ତ୍ରୀ । ସାମାଜିକ ସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ସୁଭାଷିନୀଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ । ତେବେ ଏହି ସମ୍ମାନ ହିଁ ତାଙ୍କ କଠିନ ପରିଶ୍ରମ ଓ ନିଷ୍ଠାକୁ ସୂଚାଉଛି । ସୁଭାଷିନୀ ନିଆରା ଉଦ୍ୟମ ବଳରେ ଆଜି ହଜାର ହଜାର ଲୋକ ଉପକୃତ ହୋଇପାରୁଛନ୍ତି । ତେବେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ସୁଭାଷିନୀଙ୍କ କାହାଣୀ ଅନ୍ୟ ମାନଙ୍କ ଠାର ସମ୍ପୂର୍ଣ୍ଣ ଅଲଗା ।

Subhashini-Mistry2-1024x768ପଶ୍ଚିମବଙ୍ଗର ସୁଭାଷିନୀ ମିସ୍ତ୍ରୀ । ପଦ୍ମଶ୍ରୀ ସମ୍ମାନ ପାଇଁ ନାଁ ଘୋଷଣା ପରେ ଏବେ ପୂରା ଦେଶରେ ତାଙ୍କ କାମକୁ ନେଇ ଚର୍ଚ୍ଚା । କୋଲକାତାରେ ରହୁଥିବା ୭୫ ବର୍ଷିୟା ବୃଦ୍ଧା ସୁଭାଷିନୀ ନିଜେ ଏକ ଡାକ୍ତରଖାନା ତିଆରି କରି ଲୋକଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଦୀର୍ଘ ୨୨ ବର୍ଷ ଧରି ସୁଭାଷିନୀଙ୍କ ହ୍ୟୁମାନିଟି ଡାକ୍ତରଖାନା ଗରିବ ଲୋକଙ୍କର ମାଗଣା ଚିକିତ୍ସା କରୁଛି । ସୁଭାଷିନୀ ନିଜେ ଦାରିଦ୍ର୍ୟର ସୀମାରେଖା ତଳେ ରହିବା ସତ୍ତେ୍ୱ ମଧ୍ୟ ଗରିବଙ୍କ ପାଇଁ ଡାକ୍ତରଖାନା ନିର୍ମାଣ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି । ତେବେ ଡାକ୍ତରଖାନା ତିଆରି କରିବାକୁ ସୁଭାଷିନୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ଏଥିପାଇଁ ପରିବା ବିକିବା ଠାରୁ ଆରମ୍ଭ କରି ଜୋତା ପଲିସି ମଧ୍ୟ କରିଛନ୍ତି ସୁଭାଷିନୀ ।ଆଉ ଯାହାର ଫଳ ତାଙ୍କୁ ଆଜି ପଦ୍ମ ପୁରସ୍କାର ଆକାରରେ ମିଳିଛି ।

ତେବେ ସୁଭାଷିନୀଙ୍କ ଏହି ଡାକ୍ତରଖାନା ନିର୍ମାଣ ପଛରେ ଏକ ଦୁଃଖଦ କାହାଣୀ ରହିଛି । ୧୯୪୩ ମସିହାରେ ଯେତେବେଳେ ପଶ୍ଚିମବଙ୍ଗରେ ଦୁର୍ଭିକ୍ଷ ପଡିଥିଲା ସେହି ସମୟରେ ଜନ୍ମ ନେଇଥିଲେ ସୁଭାଷିନୀ । ଏପରିକି ଏହି ଦୁର୍ଭିକ୍ଷରେ ତାଙ୍କର ୧୪ ଜଣ ଭାଇ ଭଉଣୀଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଖୁବ କମ ବୟସରେ ତାଙ୍କ ବିବାହ କରାଯାଇଥିଲା ।

Subhashini-Mistry-5ତେବେ ୧୯୭୧ ମସିହାରେ ଚିକିତ୍ସା ଅଭାବରୁ ସୁଭାଷିନୀଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ଚାରି ସନ୍ତାନଙ୍କ ଦାୟିତ୍ୱ ସୁଭାଷିନୀଙ୍କ ଉପରକୁ ଆସିଲା । ଚିକିତ୍ସା ଅଭାବରୁ ସ୍ୱାମୀଙ୍କ ମୃତ୍ୟୁ ପରେ ଅନ୍ୟମାନଙ୍କର ଯେପରି ତାଙ୍କ ସ୍ୱାମୀଙ୍କ ଭଳି ଅବସ୍ଥା ନ ହେଉ ସେଥିପାଇଁ ଡାକ୍ତରଖାନା ନିର୍ମାଣ କରିବାକୁ ଚିନ୍ତା କଲେ ସୁଭାଷିନୀ । କିନ୍ତୁ ଯେଉଁଠି ପେଟର ଭୋକ ମାରିବା ସୁଭାଷିନୀଙ୍କ ପାଇଁ କଷ୍ଟକର ହେଉଥିଲା ସେଭଳି ସ୍ଥିତିରେ ଡାକ୍ତରଖାନା ନିର୍ମାଣ କରିବା ତାଙ୍କ ପାଇଁ ଏକ ଦିବାସ୍ୱପ୍ନ ଥିଲା । କିନ୍ତୁ ନିଜ ସ୍ୱପ୍ନକୁ ଭୁଲିନଥିଲେ ସୁଭାଷିନୀ । ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଦିନରାତି ଏକ କରିଦେଇଥିଲେ ସୁଭାଷିନୀ । ହସ୍ପିଟାଲ ନିର୍ମାଣ ପାଇଁ ଦୀର୍ଘ ୨୦ ବର୍ଷ ପରିବା ବିକବା ଠାରୁ ଆରମ୍ଭ କରି ଜୋତା ପଲିସି କରିଥିଲେ । ଏପରିକି ୪ ସନ୍ତାନଙ୍କ ଲାଳନ ପାଳନରେ ଅସୁବିଧା ଉପୁଜିବାରୁ ଜଣଙ୍କୁ ଅନାଥ ଆଶ୍ରମରେ ଛାଡିଥିଲେ ସୁଭାଷିନୀ । ତେବେ ଦୀର୍ଘ ୨୦ ବର୍ଷ ପରେ ୧୯୯୨ ମସିହାରେ ସୁଭାଷିନୀ ନିଜ ଗାଁ ଫେରି ୧୦,୦୦୦ ଟଙ୍କାରେ ଜମି କିଣି ହସ୍ପିଟାଲ ନିର୍ମାଣର ପୁନାଦି ପକାଇଥିଲେ ।

30-subhashinimistryହସ୍ପିଟାଲ ତ ନିର୍ମାଣ ସରିଲା କିନ୍ତୁ ଚିକିତ୍ସା ପାଇଁ ଡାକ୍ତର ଖୋଜିବା ସୁଭାଷିନୀଙ୍କ ପାଇଁ ଏକ ବଡ ଆହ୍ୱାନ ଥିଲା । ସୁଭାଷିନୀଙ୍କ ଲକ୍ଷ୍ୟ ଥିଲା ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀ ମାଗଣାରେ ଚିକିତ୍ସିତ ହୁଅନ୍ତୁ । ତେଣୁ ତାଙ୍କ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରିବା ପାଇଁ ସହରର ଡାକ୍ତରଙ୍କୁ ଲାଉଡସ୍ପିକରରେ ନିବେଦନ କରିଥିଲେ ସୁଭାଷିନୀ । ଆଉ ଏହାର ପ୍ରଭାବ ମଧ୍ୟ ଡାକ୍ତରଙ୍କ ଉପରେ ପଡିଥିଲା । ହସ୍ପିଟାଲ ଖୋଲିବାର ପ୍ରଥମ ଦିନରେ ହିଁ ୨୫୨ ଜଣ ରୋଗୀଙ୍କର ଚିକିତ୍ସା ହୋଇଥିଲା । ଆଉ ଏହାପରେ ଆଉ ପଛକୁ ଫେରିନଥିଲେ ସୁଭାଷିନୀ । ସୁଭାଷିନୀଙ୍କ କହିା ଅନୁଯାୟୀ, ଏବେ ତାଙ୍କ ଡାକ୍ତରଖାନାରେ ୨୪ ଘଣ୍ଟିଆ ସେବା ପାଇଁ ସେ ଚାହୁଁଛନ୍ତି । ଏଠାରେ ଗରିବ ଲୋକଙ୍କର ମାଗଣା ଚିକିତ୍ସା କରାଯାଇଥାଏ । ତେବେ ଦାରିଦ୍ୟ୍ର ସୀମାରେଖା ଉପରେ ଥିବା ଲୋକଙ୍କ ପାଖରୁ ୧୦ ଟଙ୍କା ଫିସ ନିଆଯାଇଥାଏ । ତେବେ ସୁଭାଷିନୀ କହିଛନ୍ତି ଏବେ ଡାକ୍ତରଖାନାରେ ଅନେକ ସରଞ୍ଜାମର ଆବଶ୍ୟକତା ରହିଛି । ତେଣୁ ସରକାର ଯଦି ଏଥିପ୍ରତି ଦୃଷ୍ଟି ଦେବେ ତେବେ ତାଙ୍କ ସ୍ୱପ୍ନ ପୂରଣ ହେବ ।