ସାଦା ପୋଷାକରେ ଏସପି ଆସିଲେ, ଆରଟିଓ ଅଫିସରୁ ଦଲାଲକୁ ଉଠାଇନେଲେ । ଜବତ ହେଲା ବିଡା ବିଡା ଟଙ୍କା ଓ କାଗଜପତ୍ର ।

871

କନକ ବ୍ୟୁରୋ : ନୟାଗଡ ଆରଟିଓ ଅଫିସ ସାମନାରେ ଖୁଲମଖୁଲା ଦଲାଲି ଚାଲିଥିଲା । ଆଉ ଏତିକିବେଳେ ସାଦା ପୋଷାକରେ ଅଚାନକ ଚଢାଉ କଲେ ଏସପି । ସଂପୃକ୍ତ ଦଲାଲକୁ ଗିରଫ କରାଯାଇଥିବା ବେଳେ ତାଠାରୁ ୫୦ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି । ତେବେ ବଡ କଥା ହେଉଛି, ଦଲାଲକୁ ଧରିବାକୁ ନିଜେ ଏସପି କରିିଥିଲେ ଷ୍ଟିଙ୍ଗ ଅପରେସନ୍ ।

ସାବଧାନ! ଏସପି ବୁଲୁଛନ୍ତି ସାଦା ପୋଷାକରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ରେ । ଆରଟିଓ ଅଫିସ ନିକଟରେ ଖୁଲମଖୁଲା ଚାଲିଥିଲା ଦାଲାଲି । ଆଉ ଏତିକିବେଳେ ସାଦାପୋଷାକରେ ଅଚାନକ ଚଢାଉ କଲେ ଏସପି । ଆରଟିଓ ଅଫିସ ପରିସରରୁ ଦଲାଲ ଉଚ୍ଛେଦ ହୋଇଥିଲା ସତ, ହେଲେ ବାହାରେ ଇଂଟରନେଟ୍ କେଫ୍ ବାହାନାରେ ଚାଲିଥିଲା ଦଲାଲି । ଦଲାଲ କାବୁ ହେବା ପରେ ତା’ ନିକଟରୁ ଜବତ ହୋଇଥିଲା ବିଡ଼ା ବିଡ଼ା ଟଙ୍କା । ଅନେକ ଲୋକଙ୍କ ନାଁ ଲେଖାଥିବା ଚିରକୁଟି ସହ ଆରଟିଓ ସଂପର୍କୀତ କାଗଜପତ୍ର ମଧ୍ୟ ଜବତ ହୋଇଥିଲା ।

ନୟାଗଡ ପିଟିଏସ ରୋଡରେ ଥିବା ଆରଟିଓ ଅଫିସ ନିକଟରେ ଦଲାଲି ଚାଲିଥିବା ନେଇ ଖବର ପାଇବା ପରେ ଏସପି ଶଶିଭୂଷଣ ଶତପଥୀ ଆରମ୍ଭ କରିଥିଲେ ଷ୍ଟିଙ୍ଗ ଅପରେସନ୍ । ଆରଟିଓ ଅଫିସ ବାହାରେ ଥିବା ଏହି ଇଣ୍ଟରନେଟ୍ କାଫେ ଥିଲା ଏସପିଙ୍କ ରାଡାରରେ । କାରଣ କାଫେ ବାହାରେ ଲାଗିଥିବା ଲାଗିଥିବା ସାଇନ୍ ବୋର୍ଡରେ ସିଧାସଳଖ ଡ୍ରାଇଭିଂ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡ଼ି ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟ ପାଇଁ ଏଥିରେ ବିଜ୍ଞାପନ ଦିଆଯାଇଥିଲା । ଆଉ ଚଢାଉ କରିବା ପରେ ସଂପୃକ୍ତ ଦଲାଲ ମୁରଲୀଧର ରାଉତକୁ ପୁଲିସ ଗିରଫ କରିଛି । ବାଇକ ଡିକି ଓ ପର୍ସ ଯାଂଚ ପରେ ୫୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି ।

ଏହି ଘଟଣା ବୟାନ କରୁଛି, ଆରଟିଓ ଅଫିସ ନିକଟରେ ଏବେ ବି ଚାଲିଛି ଦଲାଲରାଜ । ନାଁ ଲୋକେ ସଚେତନ ହେଉଛନ୍ତି ନା ଦଲାଲ ଚେତୁଛନ୍ତି । ଅଭିଯୋଗ ହେଉଛି, ଆରଟିଓ ଅଫିସର କିଛି ଅସାଧୁ କର୍ମଚାରୀ, ଦଲାଲଙ୍କ ହାତ ମିଳାଇ ଥିବାରୁ ଏଥିରେ ରୋକ ଲାଗିପାରୁନାହିଁ ।