ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀକୁ ବିଜେଡି ସମର୍ଥନ ପରେ ରାଜ୍ୟ ରାଜନୀତି ସରଗରମ : କଂଗ୍ରେସ କହିଲା, ବିଜେପି ପଛରେ ୪ ବର୍ଷ ହେଲା ରହିଛି ବିଜେଡି

22

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ଅସଲ ଚେହେରା ପଦାକୁ ଆସି ଯାଇଛି । ୪ ବର୍ଷ ଧରି ବିଜେଡି ବିଜେପି ମଧ୍ୟରେ ଚାଲୁଥିବା ଡ୍ରାମାର ଯବନିକା ପଡିଛି । ଏଭଳି ଅଭିଯୋଗ କରିଛି କଂଗ୍ରେସ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ରହିବେ ବୋଲି ପୁରା ବ୍ଲୁ ପ୍ରିଟଂ ପ୍ରସ୍ତୁତ ହୋଇସାରିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ପ୍ରକାଶ କରିଛନ୍ତି । ଅନ୍ୟପଟେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସଂସଦୀୟ ବ୍ୟବସ୍ଥାରେ ବିଜେଡି ତାର ପକ୍ଷ ରଖିଛି । କଂଗ୍ରେସ ନିଜ ଦଳକୁ ଦେଖୁ ଅଯଥା ବାହାସ୍ପଟ ନ ମାରୁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପାଲଟା ଜବାବ ଦେଇଛନ୍ତି ।

ସୂଚନାଯୋଗ୍ୟ ହରିବଂଶଙ୍କୁ ଜିତାଇବାକୁ ହେଲେ ଏନଡିଏ ପାଇଁ ଆଜି ବିଜେଡିର ସମର୍ଥନ ଏକପ୍ରକାର ଜରୁରୀ ଥିଲା । ସମର୍ଥନ ପାଇଁ ଏନଡିଏ ଶିବିରରୁ ବିଜେଡି ସୁପ୍ରିମୋଙ୍କୁ ଘନ ଘନ ଫୋନ୍ ବି ଆସିଥିଲା । ଶେଷରେ ବିଜେଡି ହଁ ଭରିଥିଲା ଏବଂ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା । ୨୦୧୯ରେ ସବୁଠାରୁ ବଡ ରାଜନୈତିକ ଲଢେଇ ପାଇଁ ରାଜ୍ୟରେ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତ ହେଉଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ନେଇ ଉଠିଛି ପ୍ରଶ୍ନ । ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ହାତେଇବା ପାଇଁ ଆବଶ୍ୟକ ସଂଖ୍ୟା ନଥିବା ବିଜେପି ପାଇଁ ୯ଜଣ ସାଂସଦ ଥିବା ବଜେଡିର ସମର୍ଥନ ଜରୁରୀ ଥିଲା । ଯେଉଁଥିପାଇଁ ଦିଲ୍ଲୀରୁ ଆସିଥିଲା ଘନଘନ ଫୋନ୍ । ଆଉ ରାଜନୈତିକ ବିଚାରଧାରାରେ ବିଜେପି ଘୋର ବିରୋଧୀ, ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ଲାଖି ରହିଥିଲା ସମସ୍ତଙ୍କ ନଜର । ଆଶ୍ଚର୍ୟ୍ୟ ଜନକ ଭାବେ ଭୁବନେଶ୍ୱରରୁ ଯେଉଁ ବାର୍ତ୍ତା ଦିଲ୍ଲୀ ଦରବାରକୁ ଗଲା, ତାହା ମୋଦି ଆଉ ଶାହା ଯୋଡିଙ୍କୁ ଆଶ୍ୱସ୍ତ କରିଦେଇଛି । ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେଇଛି ବିଜେଡି ।

 

ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଙ୍କୁ ସମର୍ଥନ ପଛରେ ଏକ ବଳିଷ୍ଠ ଯୁକ୍ତି ବାଢିଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି-

– ବିଜେଡି ଓ ଜେଡିୟୁ ମଧ୍ୟରେ ଆଦର୍ଶଗତ ସମାନତା ରହିଛି

– ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଦୁଇ ଦଳର ସୃଷ୍ଟି

– ଉପାଧ୍ୟକ୍ଷ ପଦ ପାଇଁ କଂଗ୍ରେସର ପ୍ରାର୍ଥୀ ମୈଦାନରେ ଥିଲେ

– ହରିପ୍ରସାଦ କଂଗ୍ରେସ ପ୍ରଭାରୀ ଥାଇ ବିଜେଡିକୁ ସମାଲୋଚନା କରୁଥିଲେ

– ସହମତି ଭିତ୍ତିିରେ ନିର୍ବାଚନ ହେଉ ବୋଲି ବିଜେଡି ଚାହୁଁଥିଲା

– ତେଣୁ ଶେଷଯାଏଁ ଅପେକ୍ଷା କରି, ଦଳ ଜେଡିୟୁକୁ ସମର୍ଥନ କଲା