ଭାରତ ପାଇଁ ବିଶ୍ୱକପ ଜିତିଥିଲେ, ଆଇପିଏଲରେ କୌଣସି ଟିମ୍ କିଣିଲେନି । ଏବେ ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେଲେ ଶ୍ରୀସନ୍ଥ ।

213

କନକ ବ୍ୟୁରୋ : ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେଲେ ଏସ୍ ଶ୍ରୀସନ୍ଥ । ଘରୋଇ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଶ୍ରୀସନ୍ଥ । ଆଉ ଏହି ଘୋଷଣା କରିବା ବେଳେ ବେଶ ଭାବବିହ୍ୱଳ ମଧ୍ୟ ହୋଇପଡିଥିଲେ ଶ୍ରୀସନ୍ଥ । ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ନିଜ ଅବସର ବାବଦରେ କ୍ରିକେଟପ୍ରେମୀଙ୍କୁ ଜଣାଇଥିଲେ ଭାରତର ଏହି ଷ୍ଟାର ବୋଲର ।  ଦୀର୍ଘବର୍ଷ ପରେ କେରଳ ପକ୍ଷରୁ ରଣଜୀ ମ୍ୟାଚରେ ଖେଳିବାକୁ ସୁଯୋଗ ପାଇଥିଲେ ଶ୍ରୀସନ୍ଥ । ମେଘାଳୟ ବିପକ୍ଷରେ ୱିକେଟ ନେବା ପରେ ପୁଣିଥରେ ଅର୍ନ୍ତଜାତୀୟ କ୍ରିକେଟକୁ ଶ୍ରୀସନ୍ଥ ଏଣ୍ଟ୍ରି ମାରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ଆଇପିଏଲର ମହାନିଲାମୀରେ ମଧ୍ୟ ଶ୍ରୀସନ୍ଥ ସାମିଲ ହୋଇଥିଲେ । କିନ୍ତୁ କୌଣସି ଫ୍ରାଞ୍ଚାଇଜ ଶ୍ରୀସନ୍ଥଙ୍କୁ କିଣିନଥିଲେ । ଆଉ ଏହାସହ ଆଇପିଏଲକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବା ଆଶା ଶ୍ରୀସନ୍ଥଙ୍କର ମଉଳିଥିଲା । ୨୦୧୩ରେ ଆଇପିଏଲରେ ସ୍ପଟ ଫିକ୍ସିଂ ମାମଲାରେ ବିସିସିଆଇ ଶ୍ରୀସନ୍ଥଙ୍କୁ ଆଜୀବନ ବ୍ୟାନ୍ କରିଥିଲା । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଦଣ୍ଡକୁ ୭ ବର୍ଷକୁ କମାଇ ଦିଆଯାଇଥିଲା ।

୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହି ସାରିଛନ୍ତି ଶ୍ରୀସନ୍ଥ । ଏପରିକି ୨୦୦୭ ଟି-୨୦ର ଫାଇନାଲ ମୁକାବିଲାର ଶେଷ କ୍ୟାଚ୍ ନେଇ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରିଥିଲେ ଶ୍ରୀସନ୍ଥ । ଯାହା ଏକ ଅଭୁଲା ମୁହୂର୍ତ୍ତ । ୩୯ ବର୍ଷୀୟ ଶ୍ରୀସନ୍ଥ ୨୭ଟି ଟେଷ୍ଟ, ୫୩ଟି ଦିନିକିଆ ଓ ୧୦ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ଆଇପିଏଲରେ ମଧ୍ୟ ଶ୍ରୀସନ୍ଥ ଦମଦାର ପ୍ରଦର୍ଶନ କରିଥିଲେ ।

ଘରୋଇ କ୍ରିକେଟରୁ ସନ୍ନ୍ୟାସ ନେବା ସହ ଶ୍ରୀସନ୍ଥ କହିଛନ୍ତି, ଆଜି ମୋ ପାଇଁ ଏକ କଠିନ ଦିନ । ମୋର କଠିନ ସମୟରେ ସାଥ୍ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ । ଭାରତକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠୁ ଗର୍ବର ମୁହୂର୍ତ୍ତ । ନୂଆ ପିଢୀକୁ ସୁଯୋଗ ଦେବା ପାଇଁ ଅବସର ନେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଶ୍ରୀସନ୍ଥ । ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଶ୍ରୀସନ୍ଥ ।