ନିର୍ବାହୀ ଯନ୍ତ୍ରୀଙ୍କ ଘର ଦେଖି ତାଜୁବ ଭିଜିଲାନ୍ସ । ଚଢ଼ାଉ ବେଳେ ଖୋଲିଲେନି ଦୁଆର, କବାଟ ଭାଙ୍ଗି ଘରେ ପଶିଲେ ଭିଜିଲାନ୍ସ ଟିମ୍, ଗଦି ତଳୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା ।

206

କନକ ବ୍ୟୁରୋ : କବାଟ ଭାଙ୍ଗି ଘରେ ପଶିଲେ, ଆଉ ସମ୍ପତି ଦେଖି ତାଜୁବ ହେଲେ । ବ୍ରହ୍ମପୁର ଗ୍ରାମୀଣ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ଯେତେବେଳେ ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରିଥିଲେ, ସେଠାରେ ସମ୍ପତି ଦେଖି ସେମାନଙ୍କ ଆଖି ଖୋସି ହୋଇଯାଇଥିଲା । ଘରୁ ଜବତ ହୋଇଛି ପୁଳା ପୁଳା ଟଙ୍କା । ଏହାସହ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତି ଠାବ କରିଛି ଭିଜିଲାନ୍ସ ।

ଟଙ୍କା ଉପରେ ନିଦ୍ରା ଯାଉଥିଲେ ନିର୍ବାହୀ ଯନ୍ତ୍ରୀ । ଗଦି ତଳୁ ବାହାରିଲା ଗଦା ଗଦା ଟଙ୍କା । ଭିଜିଲାନ୍ସ ଚଢାଉ ବେଳେ ଗଦି ତଳୁ ବାହାରିଲା ୧୬ ଲକ୍ଷ ୭୦ ହଜାର ଟଙ୍କା । ବ୍ରହ୍ମପୁର ରୁରାଲ ୱାର୍କସର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଚଢାଉ ବେଳେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବୁଧବାର ୫ଟି ସ୍ଥାନରେ ରେଡ୍ କରିଛି । ବ୍ରହ୍ମପୁର ଗଜପତି ନଗରର ଅଷ୍ଟମ ଲେନରେ ଥିବା ଏକ ୪ ମହଲା ଘର, ୧୧ ନମ୍ବର ଲେନରେ ଥିବା ୫ ମହଲା ଘର, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା ବିଶିଷ୍ଟ ଘର, ଗଞ୍ଜାମ ଆମ୍ବପୁଆରେ ଥିବା ଅଫିସ ଓ ପୈତୃକ ଘର ଛତ୍ରପୁରର ପୁଟବଗଡ଼ ଠାରେ ଏକାକାଳୀନ ଯାଞ୍ଚ କରୁଛି ଭିଜିଲାନ୍ସ ।

ଆସବାବପତ୍ର ଦେଖି ଆଶ୍ଚର୍ଯ୍ୟ ଅଧିକାରୀ । ସବୁ ଦୁଆରରେ ସେନ୍ସର ଲକ୍ । କବାଟ ଭାଙ୍ଗି ଏମ୍ସ ନଗର ଘର ଭିତରେ ପଶିବା ପରେ ହତବାକ ହୋଇପଡିଥିଲେ ଭିଜିଲାନ୍ସ ଅଧିକାରୀ । ତିନି ମହଲା ବିଶିଷ୍ଟ ଘରେ ଲିଫ୍ଟ ବ୍ୟବସ୍ଥା ଥିବା ବେଳେ ସମସ୍ତ ଦ୍ୱାରରେ ଲାଗିଥିଲା ଅତ୍ୟାଧୁନିକ ସେନ୍ସର ଲକ୍ । ସୋଫା, ବେଡ ଠାରୁ ଆରମ୍ଭ କରି ଟିଭି ଫ୍ରିଜ ସମସ୍ତ ସାମଗ୍ରୀ ଥିଲା ବିଳାସପୂର୍ଣ୍ଣ । ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ନେଇ ଏବେ ହିସାବ କରୁଛି ଭିଜିଲାନ୍ସ । ଏପଟେ ଜଗନ୍ନାଥ ଓ ତାଙ୍କ ପୁଅଙ୍କ ବୟାନରେ ତାଳମେଳ ନଥିବା ଜଣାପଡିଛି ।

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ଆଡିସନାଲ ଏସପି, ୪ ଡିଏସପି ଓ ୧୦ ଇନ୍ସପେକ୍ଟରଙ୍କ ତତ୍ୱାବଧାନରେ ଏହି କୋଟିପତି ଯନ୍ତ୍ରୀଙ୍କ ସମ୍ପତିର ଆକଳନ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତି ରଖିବା ସହ ତଦନ୍ତକାରୀ ଅଫିସରଙ୍କୁ ଅସହଯୋଗ କରିବା ଅଭିଯୋଗରେ ମାମଲା ହେବ ବୋଲି କହିଛି ଭିଜିଲାନ୍ସ ।