ସାବାଡ଼ ହେବେ ରାଜନେତା ! ଲୋକପ୍ରତିନିଧିଙ୍କ ଅପରାଧିକ ମାମଲା ଶୀଘ୍ର ଶେଷ କରିବାକୁ ତିଆରି ହେବ ସ୍ୱତନ୍ତ୍ର କୋର୍ଟ
ଏଣିକି ରକ୍ଷା ପାଇବେନି ଅପରାଧି ସାଂସଦ ଓ ବିଧାୟକ । ଲୋକପ୍ରତିନିଧିଙ୍କ ଅପରାଧିକ ମାମଲା ଶୀଘ୍ର ଶେଷ କରିବାକୁ ତିଆରି ହେବ ସ୍ୱତନ୍ତ୍ର କୋର୍ଟ । ସାଂସଦ ଓ ବିଧାୟକ ତଥା ଅନ୍ୟ ଲୋକପ୍ରତିନିଧିଙ୍କ ବିରୋଧରେ ଲମ୍ବା ସମୟ ଧରି ଚାଲିଥିବା ମାମଲାର ଶୀଘ୍ର ବିଚାର ପାଇଁ ୧୨ଟି ସ୍ୱତନ୍ତ୍ର କୋର୍ଟ କରାଯିବ । ଏ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ୧୨ଟି ସ୍ୱତନ୍ତ୍ର କୋର୍ଟ ପାଇଁ ୭କୋଟି ୮୦ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ଏବଂ ଏ ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ୨୦୧୪ ମାର୍ଚ୍ଚ ୧୦ ତାରିଖରେ ଏ ସଂପର୍କରେ ନିଷ୍ପତି ନେବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବର୍ତ୍ତମାନର ଆଇନ ଅନୁଯାୟୀ, ଜଣେ ରାଜନେତା କୌଣସି ନୈତିକ ଅବା ଜଘଣ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ବାରଣ କରାଯିବାର ବ୍ୟବସ୍ଥା ରହିଛି । ତେବେ ଅପରାଧୀ ପ୍ରମାଣିତ ରାଜନେତାମାନଙ୍କୁ ଜୀବନ ତମାମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ଲାଗି ବିଜେପିର ଅଶ୍ୱିନୀ କୁମାର ଉପାଧ୍ୟାୟ ଏକ ଆବେଦନ କରିୁଥିଲେ । ତାହାର ଶୁଣାଣି ବେଳେ ଅଦାଲତ କେନ୍ଦ୍ର ନିର୍ବାଚନ ଆୟୋଗ ଏ ଦିଗରେ କାହିଁକି ନିରବ ବୋଲି ପ୍ରଶ୍ନ କରିଥିଲେ। ତେବେ ଏଥିପାଇଁ ପୁରୁଣା ଆଇନ ସଂଶୋଧନ କରି ଏକ ନୂଆ ଆଇନ ଆଣିବାକୁ ନିର୍ବାଚନ ଆୟୋଗ ଅଦାଲତଙ୍କୁ ଜଣାଇଥିଲେ ।
ଅପରପକ୍ଷେ, ଏ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ତୁରନ୍ତ ନେବାକୁ ମନା କରିଦେଇଥିଲେ । ତେବେ ଅପରାଧୀ ରାଜନେତାଙ୍କୁ ଜୀବନ ତମାମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ପ୍ରସ୍ତାବକୁ ସମର୍ଥନ କରି ଜାତୀୟ ଆଇନ ଆୟୋଗ ଏବଂ ନିର୍ବାଚନ ଆୟୋଗ କରିଥିବା ସୁପାରିସ ଉପରେ ବିଚାର କରୁଛନ୍ତି ବୋଲି ସରକାର କହିଥିଲେ। ତଥାପି ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ରାଜନେତାମାନେ ଜଡ଼ିତ ଥିବା ମାମଲାଗୁଡ଼ିକର ଫୈସଲା ଦିଗରେ ପଦକ୍ଷେପ ନେବାକୁ ରାଜି ଅଛନ୍ତି ବୋଲି କେନ୍ଦ୍ର ସରକାର ଗତକାଲି ଜଣାଇଛନ୍ତି । ପ୍ରଥମେ ଏହିପରି ୧୨ଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରି ସଂପୃକ୍ତ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ ହେବ । ଏଥି ସହିତ ବିଭିନ୍ନ ଅଦାଲତରେ ପଡ଼ିରହିଥିବା ଅନୁରୂପ ମାମଲା ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯିବ । ତାହା ପରେ ଆଉ ଅଧିକ ସ୍ୱତନ୍ତ୍ର ଅଦାଲତ ସ୍ଥାପନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଆଡିସିନାଲ୍ ସଲିସିଟର ଜେନେରାଲ୍ ଏ ଏନ୍ ଏସ୍ ନାଦକର୍ଣ୍ଣି ଅଦାଲତଙ୍କୁ ସ୍ପଷ୍ଟ କରିଛନ୍ତି । ଏ ବାବଦରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଗୁରୁବାର ହେବ ବୋଲି ଜଣାଯାଇଛି ।