ଯୁଦ୍ଧର ରୂପ ନେଇଛି ଘନୀଭୂତ ତିକ୍ତ ସମ୍ପର୍କ । ସାମ୍ରାଜ୍ୟବାଦୀ ନେତୃତ୍ୱଙ୍କ ନୀତି ନେଉଛି ହଜାର ହଜାର ଜୀବନ । ଯୁଦ୍ଧ ବିଭିଷୀକା ଭିତରେ ଲାଭ ଉଠାଉଛନ୍ତି ଅସ୍ତ୍ର ବ୍ୟବସାୟୀ

134

କନକ ବ୍ୟୁରୋ : ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ସମସ୍ତେ ତୃତୀୟ ଯୁଦ୍ଧର ପରିକଲ୍ପନାରୁ ହିଁ ଭୟଭୀତ । ବର୍ତମାନ ସମୟରେ ଯୁଦ୍ଧର ପରିଣାମ ଯେ କେତେ ଭୟାନକ ହୋଇପାରେ ଏ ନେଇ ଅଳ୍ପ ବହୁତେ ସମସ୍ତେ ଅବଗତ । ହେଲେ ସମୟ ସହିତ ବଦଳୁଛି ମାନସିକତା । ହିଂସା ଦ୍ୱେଷ ଓ ଅତୀତର ଶତୃତା କାଳ କ୍ରମେ ମରଣାନ୍ତକ ଯୁଦ୍ଧର କାରଣ ସାଜୁଛି । ଏହି ପ୍ରତିଶୋଧ ପରାୟଣ ଯୁଦ୍ଧ କେବଳ ଦୁଇ ଦେଶର ଧନ ଜୀବନ ହାନି ନୁହୈଁ ସମଗ୍ର ବିଶ୍ୱବାସୀଙ୍କୁ ଅଶାନ୍ତି ଭିତରକୁ ଠେଲି ଦେଇଛି । ରୁଷିଆ ୟୁକେନ୍ ଯୁଦ୍ଧର ଭୟାବହତା ମନରୁ ନଲିଭୁଣୁ ଆରମ୍ଭ ହୋଇଯାଇଛି ହମାସ୍ ଓ ଇସ୍ରାଏଲର ଯୁଦ୍ଧ । ରାଷ୍ଟ୍ର ତଥା ଗୋଷ୍ଠି ମୁଖ୍ୟ ମାନଙ୍କ ଆକ୍ରୋଶ ଓ ଶତୃତା ଆଗକୁ ଯାଇ ଭୀଷଣ ଯୁଦ୍ଧରେ ଋପାନ୍ତର ହେଉଛି କିନ୍ତୁ ଏ ବିଭିଷୀକାର ଶିକାର ହେଉଛନ୍ତି ନିରସ୍ତ୍ର ସାଧାରଣ ଜନତା । ଅନେକ ନିରୀହ ନିର୍ମମଙ୍କୁ ମୁତ୍ରୁ ମୁଖକୁ ଠେଲି ଦେଉଛି ଏକ ସାମ୍ରାଜ୍ୟବାଦୀ ମନବୃତି ରଖିଥିବା କିଛି ନେତୃତ୍ୱଙ୍କ ନୀତି । ହଜାର ହଜାର ଲୋକ ଜୀବନ ବିକଳରେ ନିଜ ଘର ସମ୍ପତି ଛାଡି ଯାଜାବର ଭଳି ଆଶ୍ରୟ ସ୍ଥଳରେ ଜୀବନ ବିତାଉଛନ୍ତି ।

ହମାସର ଏହି ଅତର୍କିତ ଆକ୍ରମଣ ସମସ୍ତଙ୍କୁ ଚକିତ କରିଛି । ଇସ୍ରାଏଲରେ ସବୁଠି ବୀଭତ୍ସ ହତ୍ୟାକାଣ୍ଡର ଦୃଶ୍ୟ । ଇସ୍ରାଏଲ ମଧ୍ୟ ପ୍ରତିଆକ୍ରମଣ କରି ଯୁଦ୍ଧର କଡା ଜବାବ ଦେଉଛି । ଏ ଭୟଙ୍କର ଯୁଦ୍ଧରେ ଉଭୟ ପକ୍ଷରୁ ହଜାର ହଜାର ଜୀବନ ଗଲାଣି । ମୃତ୍ୟୁ ମୁଖରେ ପଡିଥିବା ଲୋକଙ୍କ ମଧ୍ୟରୁ କେବଳ ସେନାର ଯବାନ ନୁହଁନ୍ତି । ଏହାସହିତ ଭୋକର ଭୋଗଳ ଭିତରେ ଭବିଷ୍ୟତର ମାନଚିତ୍ର ଆଙ୍କୁଥିବା ଅନେକ ନିରିହ ଲୋକ ମଧ୍ୟ ପ୍ରାଣ ହରାଇସାରିଛନ୍ତି ।

ଥମିବାର ନା ନେଉନାହିଁ ଯୁଦ୍ଧ ଘନ ଘନ ମିସାଇଲ, ବମ୍ ଆଟାକ ଓ ଗୁଳି ବର୍ଷା ଭିତରେ ଭୟଭିତ ଗାଜା ସହରର ବାସିନ୍ଦା । ଆରମ୍ଭରୁ ହିଁ ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ତିକ୍ତ ସମ୍ପର୍କ ରହି ଆସିଛି । ତେବେ ଇସ୍ରାଏଲ ଓ ହମାସର ଏ ବିବାଦରେ କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ କିଛି ଦେଶ ହମାସର ଏହି କାର୍ଯ୍ୟକୁ ସମର୍ଥନ କରୁଛନ୍ତି ।

ୱେଷ୍ଟ୍ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପ୍ ପାଲେଷ୍ଟାଇନ ଅଧିକୃତ ଅଂଚଳ ଗାଜା ଇସ୍ରାଏଲ, ଇଜିପ୍ଟ୍ ଓ ମେଡିଟେରିଆନ ସମୁଦ୍ର ମଝିରେ ଥିବା ଏକ ଛୋଟ ସ୍ଥଳଭାଗ । କିନ୍ତୁ ଏହାକୁ ସମ୍ପୁର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଛି ଇସ୍ରାଏଲ । ଗାଜାର ଆକାଶ ମାର୍ଗ ଓ ସ୍ଥଳ ଭାଗ ବୋର୍ଡର ଆଦିକୁ ଇସ୍ରାଏଲ ଅଧିକାର କରି ରଖିଥିବା ବେଳେ ଅନ୍ୟ ବୋର୍ଡର ତଥା ଜଳ ଭାଗକୁ ଇଜିପ୍୍ଟ ନିୟନ୍ତ୍ରଣ କରେ । ଏହି କାରଣରୁ ଅନେକ ବର୍ଷ ହେଲାଣି ପାଲେଷ୍ଟାଇନ ଓ ଗାଜା ଅଧିବାସୀ ଆବଶ୍ୟକୀୟ ଅଧିକାର ଓ ସ୍ୱାଧୀନତା ପାଉନଥିବା ସହ ସର୍ବନିମ୍ନ ସୁଖ ସୁବିଧାରୁ ମଧ୍ୟ ବଂଚିତ ହେଉଛନ୍ତି । ପାଲେଷ୍ଟାଇନ ଓ ହମାସର ଉପସ୍ଥିତିକୁ ଇସ୍ରାଏଲ ଖାସ ପସନ୍ଦ କରେ ନାହିଁ । ଏପରିକି ହମାସକୁ ଦମନ କରିବ ପାଇଁ ଗାଜାକୁ ମିଳୁଥିବା ଖାଦ୍ୟ ଜଳ ବିଦ୍ୟୁତ୍ ଓ ଦରକାରୀ ସାମଗ୍ରୀ ରପ୍ତାନି ଉପରେ ମଧ୍ୟ ଅନେକ କଟକଣା ଲଗାଇଥାଏ ଇସ୍ରାଏଲ । ଇସ୍ରାଏଲର ଏହି ଦମନ ଲୀଳାରେ ଅନେକ ପାଲେଷ୍ଟାଇନିଆନଙ୍କର ମୃତ୍ୟ ଘଟିଛି । ଏହି ସବୁ ରାଗ କୁହୁଳି ବର୍ତମାନ ଭୟାନକ ଆକ୍ରମଣର ରୂପ ନେଇଛି ।

ହମାସ ଏକ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ । ୨୦୦୭ରୁ ଗାଜା ଷ୍ଟ୍ରିପରେ ଶାସନ ଆରମ୍ଭ କରିବା ପରଠୁ ଇସ୍ରାଏଲକୁ ଧ୍ୱଂସ କରିବା ହେଉଛି ହମାସର ମୂଳ ଲକ୍ଷ୍ୟ । ୪୧ କିଲୋମୋଟର ଲମ୍ବ ଓ ମାତ୍ର ୧୨ କିଲୋମିଟର ଓସାର ବିଶିଷ୍ଟ ଗାଜା ପୃଥୀବିର ଅତ୍ୟନ୍ତ ଜନଗହଳି ପୁର୍ଣ୍ଣ ସ୍ଥାନ ମାନଙ୍କ ଭିତରେ ଜଣାଶୁଣା । ଯେଉଁଠାରେ ପ୍ରାୟ ୨୩ ଲକ୍ଷ ଲୋକ ବସବାସ କରନ୍ତି । ଆଗରୁ ଆରବ ରାଜ୍ୟ ଭାବେ ପ୍ରତିଷ୍ଠିତ ଏହି ଦେଶ ବିଭାଜିତ ହୋଇ ପାଲେଷ୍ଟାଇନ ଓ ଇସ୍ରାଏଲର ସୃଷ୍ଟି । ହେଲେ ମୌଳିକ ସୁବିଧା , ସ୍ୱାଧୀନତା ଓ ନିଜ ପ୍ରତିଷ୍ଠା ଫେରି ପାଇବା ପାଇଁ ହମାସ ଇସ୍ରାଏଲକୁ ମୂଳପୋଛ କରି ଏକ ଇସଲାମିକ ରାଜ୍ୟ କରିବାକୁ ଚେଷ୍ଟାରତ ।

ଇସ୍ରାଏଲର ମୁଖ୍ୟ ବେଞ୍ଜାମିନ୍ ନେତାନେହ୍ୟୁଙ୍କ ଅନୁସାରେ ପାଲେଷ୍ଟାଇନକୁ ସମ୍ପୁର୍ଣ୍ଣ ଛାଡ ମିଳିଲେ ଅତୀତର ଶତୃତା କୁନେଇ ଏହା ଅତିଶିଘ୍ର ଇସ୍ରାଏଲର ସାର୍ବଭୌମତ୍ୱ ଉପରେ ବିପଦ ସୃଷ୍ଟି କରିପାରେ । ଏଣୂୁ ପାଲେଷ୍ଟାଇନକୁ ସେବା ସୁବିଧା ଯୋଗାଇ ଅନ୍ୟ କ୍ଷେତ୍ର ଗୁଡିକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ଇସ୍ରାଏଲ । ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କରିବାର ଚେଷ୍ଟା ହୋଇଥିଲେ ମଧ୍ୟ ସବୁଥର ଏହା ବିଫଳ ହୋଇଥିଲା । ତେବେ ହମାସ ଏହି ଯୁଦ୍ଧକୁ ପାଲେଷ୍ଟାଇନର ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରୁଥିବା ବେଳେ ଇସ୍ରାଏଲ ଏହାକୁ ଆତଙ୍କବାଦର ର୍ବବର କାଣ୍ଡ ଭାବେ ଗ୍ରହଣ କରୁଛି ।