ଦରକାର ପଡ଼ିଲାନି ହୀରା, ମୋତି ମାଣିକ । ଗରିବ ଝିଅକୁ ସାହା ହେଲେ ସାମ୍ବାଦିକ, ସାତ ଜନ୍ମ ପାଇଁ ଧରିଲେ ହାତ ।

352

କନକ ବ୍ୟୁରୋ: ଦରକାର ପଡ଼ିଲାନି ହୀରା ମୋତି ମାଣିକ, ଦରକାର ହେଲାନି ଫାଇଭ-ଷ୍ଟାର ହୋଟେଲ । ବରଯାତ୍ରୀରେ ବର ଆସିଲା, ଦରିଦ୍ର ନିରାଶ୍ରୟ ଝିଅର ହାତ ଧରି ସମାଜକୁ ଏକ ଭିନ୍ନ ଉଦାହରଣ ଦେଲେ । ବାହାଘର ବାଟରେ ଲକ୍ଷ୍ମଣରେଖା ପାଲଟିଥିଲା ଯୌତୁକ ପ୍ରଥା । ସମାଜ ଆଗରେ ଯୌତୁକକୁ ନା ନା କହୁଥିବା ଲୋକମାନଙ୍କ ମଧ୍ୟରୁ କିଛି ଯୌତୁକ ଲୋଭୀଙ୍କ ଶିକାର ହୋଇଥିଲେ ଏହି ଯୁବତୀ । ଗରିବ ବୋଲି ଯୌତୁକ ଦେଇପାରୁନଥିଲେ, ତେଣୁ ତାଙ୍କ ହାତ ଧରିବାକୁ କେହି ଚାହୁଁନଥିଲେ । ଏତିକି ବେଳେ ନିରାଶ୍ରୟ ଯୁବତୀଙ୍କୁ ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ଜଣେ ସାମ୍ବାଦିକ ।

ଏ ହେଉଛନ୍ତି ନିଆଳି ତୁଳସୀପୁର ପଞ୍ଚାୟତ ବେଲପଡ଼ା ଗ୍ରାମର ପୁଷ୍ପା ସାହୁ । ବାପାଙ୍କ ଦେହାନ୍ତ ପରେ ପରିବାର ମୁଣ୍ଡ ଉପରୁ ଛାତ ଚାଲିଗଲା । କାରଣ ସେ ହିଁ ଏକମାତ୍ର ରୋଜଗାରିଆ ଥିଲେ ତେଣୁ ଆର୍ଥିକ ଅନଟନ ଲାଗି ରହିଲା । ମା’ ଦିନ ମଜୁରୀ ଲାଗି ଯାହା ଆଣୁଥିଲେ ସେତିକିରେ ପେଟ ମଧ୍ୟ ପୁରୁନଥିଲା ଆଉ ବାହାଘର କଥା କିଏ ପଚାରେ? ଏପରିକି ଅନେକ ପ୍ରସ୍ତାବ ଆସୁଥିଲେ ବି ଯୌତୁକ ପାଇଁ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଉଥିଲା । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ଆଉ ଶେଷରେ ଅବିବାହିତାରୁ ବିବାହିତା ବନିଲେ ପୁଷ୍ପା । ହାତ ଧରିଲେ ଜଣେ ସ୍ଥାନୀୟ ସାମ୍ବାଦିକ ।

ନିରାଶ୍ରୟ ସେବାଶ୍ରମ ସ୍ୱେଚ୍ଛାସେବୀ ମାନେ ଏହି ମହତ କାର୍ଯ୍ୟର ମଙ୍ଗ ଧରିଥିଲେ । ବାଟବରଣୀଠୁ ଆରମ୍ଭ କରି ବରଯାତ୍ରୀ, ବାହାବେଦୀରୁ ବିଦାୟୀ ପର୍ଯ୍ୟନ୍ତ ଜଣ ଜଣ ସଂଗଠନର କର୍ମୀମାନେ ସବୁ କାର୍ଯ୍ୟ ତୁଲାଇଛନ୍ତି । ମୁଖ୍ୟ ତ କନ୍ୟାର ପିତା ସାଜି ସଂଗଠନର ସଭାପତି ପୁଷ୍ପାଙ୍କ ବାହାଘର କରାଇଛନ୍ତି । ଏପଟେ ପପୁଙ୍କ ହାତ ଧରିବା ପରେ ପୁଷ୍ପା ନିଜର ଖୁସି ଜାହିର କରିଛନ୍ତି । ଯୌତୁକ ପ୍ରଥାକୁ ଭୁଲି କେବଳ ଶାଢ଼ୀ ଖଣ୍ଡିଏରେ ତାଙ୍କ ହାତ ଧରିଥିବା ପପୁଙ୍କୁ ପାଇ ସେ ମଧ୍ୟ ବେଶ୍ ଆନନ୍ଦିତ ଅଛନ୍ତି ।

ସତରେ ନିରାଶ୍ରୟ ସଂଗଠନ ଯେଉଁଭଳି ଆଶା ଭିତରେ ଆଶ୍ରୟ ଦେଉଛି ତାହା ସ୍ୱାଗତଯୋଗ୍ୟ । ପୁଷ୍ପାଙ୍କ ଭଳି ଏମିତି ଅନେକ ଝିଅଙ୍କ ବାହାହେବାର ଆଶା ଯୌତୁକ ପ୍ରଥାର ପାହାଡ଼ ତଳେ ଚାପି ହୋଇଯାଉଥିବ । କିନ୍ତୁ ଏ ଶିକ୍ଷିତ ସମାଜର କିଛି ଦେଖାଣିଆ ଲୋକମାନେ ପପୁଙ୍କ ବଡ଼ପଣରୁ କିଛି ଶିଖିପାରିଲେ ହିଁ ଚିନ୍ତାଧାରା ବଦଳିବ । ଯୌତୁକ ଲକ୍ଷ୍ମଣରେଖା ଡେଇଁ ଏ ଦୁନିଆ ଆଗକୁ ଆସିବ ।