ମହଙ୍ଗା ସହରରେ ଶସ୍ତାରେ ମିଳୁଛି ପେଟ ପୂରା ଖାନା । କଳ୍ପନା ଛକ ପାଲଟିଛି ଗରିବ, ଖଟିଖିଆଙ୍କ ଭୋକର ଠିକଣା ।

1,087

କନକ ବ୍ୟୁରୋ: ରାଜଧାନୀରେ ରାତି ପାହି ସକାଳ ହେଲେ ଅଧା ଭୁବନେଶ୍ୱରିଆଙ୍କ ଭିଡ ଲାଗେ ଟିଫିନ୍ ସେଣ୍ଟରରେ । ଦୋଷା, ଦହିବରା, ତେଲଭାଜି ଠେଲା ପାଖରେ କିଛି ଲୋକଙ୍କ ସକାଳର ଟିଫିନ୍ ଆରମ୍ଭ ହେଉଥିବା ବେଳେ ସଂଘର୍ଷର ସହରରେ କିନ୍ତୁ ଶ୍ରମିକଙ୍କ ଭିଡ ଲାଗେ କଳ୍ପନା ଛକର ଏଇ ଠେଲା ପାଖରେ । ଧାଁ ଦୌଡର ସହରରେ ଥକି ନଯିବାକୁ ପେଟେ ଖାଦ୍ୟ ଦରକାର । ଘରକୁ ଛାଡିଦେଲେ ପରର ସହରରେ ପେଟେ ଖାଦ୍ୟ ଦେବ କିଏ ? ତା ପୁଣି କମ୍ ପଇସାରେ । ହେଲେ ଗରିବଙ୍କ ପାଇଁ ଦୀର୍ଘ ୨୦ ବର୍ଷ ହେବ ଏଇ ମହଙ୍ଗା ରାଜଧାନୀରେ ଶସ୍ତା ହୋଟେଲ ସାଜିଛି ରବି ଭାଇନାଙ୍କ ଏଇ ଠେଲା । ଯେଉଁଠି ମାତ୍ର ୨୦ ଟଙ୍କାରେ ପେଟେ ପାଖଳ ଖାଇ ଆତ୍ମାଶାନ୍ତି କରୁଛନ୍ତି ଲୋକେ ।

ଖରା ହେଉ କି ବର୍ଷା, ଅବା ହେଉ ଶୀତ । ବର୍ଷକ ବାରମାସ, ୩୬୫ ଦିନ ଏଇଠି ଲାଗେ ଭୋକର ଭିଡ । କଂସାଏ ପାଖଳ ପାଇଁ କଳ୍ପନା ଛକ ପାଲଟେ ଭୋକର ଠିକଣା । ରାସ୍ତା କଡରେ ଅତି ଆଦରରେ ଅଭାବୀ, ଖଟିଖିଆ, ଦିନ ମଜୁରିଆ, ଗରିବଙ୍କ ପାଇଁ କଂସାରେ ପଖାଳ ବାଢି ଦିଅନ୍ତି ରବୀନ୍ଦ୍ର ସାହୁ । ପଖାଳ ସହ ଆଳୁ ଭର୍ତ୍ତା, ଭଜା, ବାଇଗଣ ଚଟଣୀ, ଲେମ୍ବୁ ସହ ଲଙ୍କାର ଚାଖଣା ପଖାଳର ମଜାକୁ ଡବଲ କରିଦିଏ । ମାତ୍ର ୨୦ ଟଙ୍କାରେ ପେଟେ ପଖାଳ ଖାଇ, ମନଭରି ତୋରାଣୀ ପିଇ ଆତ୍ମଶାନ୍ତି କରି କାମକୁ ବାହାରି ଯାଆନ୍ତି ଲୋକେ । ସକାଳ ୫ଟାରୁ ୯ ଯାଏଁ ଖୋଲୁଥିବା ଦୋକାନରେ ଦେଖିବାକୁ ମିଳେ ନାହିଁ ନଥିବା ଭିଡ । ଏମିତି ଲାଗେ ପେଟପାଟଣା ପାଇଁ ଧାଉଁଥିବା ଏ ସହରର ଗୋଟେ ପାଖ ମାତ୍ର ୪ ଘଣ୍ଟା ପାଇଁ ଏଇଠି ଅଟକି ଯାଏ, ଆଉ ପେଟେ ପଖାଳ ଖାଇ ପୁଣି ଧାଏଁ…

ରବୀନ୍ଦ୍ରଙ୍କ ଏଠି ଠେଲାକୁ ଖାଲି ଖଟିଖିଆ ଆସନ୍ତିନି ବରଂ ଡ୍ରାଇଭର, କଲେଜ ପିଲା, ହଷ୍ଟେଲ ପିଲା ଏବଂ କେହି କେହି ସୌଉକରେ ଖାଇବାକୁ ବି ଆସନ୍ତି । କିଏ ଆରମ୍ଭରୁ ଆସୁଛି, କିଏ ସବୁଦିନ ତ ପୁଣି କିଏ କାଁ ଭାଁ ଆସନ୍ତି ପଖାଳ ଖାଇବାକୁ । କିନ୍ତୁ ଦୀର୍ଘ ୨୦ ବର୍ଷ ହେବ ଏଇଠି ରବି ଭାଇନା ପଖାଳ କରି ଲୋକଙ୍କୁ ଖୁଆଇ ଚାଲିଛନ୍ତି । ସବୁଦିନ ୧୫୦ ମିଲ ବ୍ୟବସାୟ କରନ୍ତି ରବୀନ୍ଦ୍ର । ଏଥି ମଧ୍ୟରୁ ୧୦୦ ଜଣ ତାଙ୍କ ନିତି ଦିନିଆ ଗ୍ରାହକ । ସବୁଠାରୁ ବଡ କଥା ହେଉଛି ମହଙ୍ଗା ବଜାରରେ ଦରଦାମ ଯେତେ ବଢିଲେ ବି ତାଙ୍କ ପଖାଳର ଦାମ କିନ୍ତୁ ସେହି ୨୦ ଟଙ୍କା ହିଁ ଥାଏ । କାରଣ ଦର ବଢାଇଲେ ଗରିବ ଲୋକଙ୍କ ପକେଟକୁ ବାଧିବ, ଆଉ ତାଙ୍କୁ କଷ୍ଟ ହେବ । ଯାହା ତାଙ୍କର ବିଶାଳ ହୃଦୟ ଏବଂ ସେବା ମନୋବୃତିର ପରିଚୟ ଦେଉଛି । କୋଡିଏ ଟଙ୍କାର ଏ ପଖାଳ କାହାଣୀ ଶୁଣିବା ପରେ ଯଦି ଆପଣଙ୍କର ପଖାଳ ଖାଇବାକୁ ଇଚ୍ଛା ହେଉଛି କିମ୍ବା ଗରିବଙ୍କ ଭୋକ ଦୂର କରୁଥିବା ସେ ବ୍ୟକ୍ତିଙ୍କୁ ଭେଟିବାକୁ ଇଚ୍ଛା ହେଉଛି । ତାହାଲେ କଳ୍ପନା ଛକକୁ ଯାଆନ୍ତୁ ଆଉ ପେଟେ ପଖାଳ ଖାଇ ରବୀନ୍ଦ୍ର ଭାଇନାଙ୍କ ମହାନତାକୁ ସଲାମ କରି ଆସନ୍ତୁ…