ଅଭାବୀ ମଣିଷର ବନ୍ଧୁ ହରକଚାନ୍ଦ ! କ୍ୟାନସର ରୋଗୀଙ୍କୁ ମାଗଣାରେ ଯୋଗାଉଛନ୍ତି ଖାଦ୍ୟ ଓ ଔଷଧ

58

ସମାଜରେ ଏମିତି ଲୋକ ଅଛନ୍ତି , ଯେଉଁମାନେ ଅନ୍ୟର ଦୁଃଖ ଦେଖିଲେ ନିଜେ ଦୁଃଖି ହୋଇଯା’ନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥା’ନ୍ତି । ନିଜର ଚିନ୍ତା ଛାଡିଦେଇ ସେହି ଅସହାୟ ଗରିବର ସେବାରେ ଲାଗିଯା’ନ୍ତି । ଆଉ ଦୁନିଆଁ ତାଙ୍କୁ କହେ ଗରିବ ଓ ଅସହାୟର ଭଗବାନ । ଏମିତି ଜଣେ ହେଲେ ମୁମ୍ବାଇର ହରକଚାନ୍ଦ ସାଭଲା । ଯିଏ କ୍ୟାନସର ରୋଗୀମାନଙ୍କୁ ମାଗଣାରେ ମାଗଣାରେ ପେଟ ପୁରା ଗଣ୍ଡେ ଖାଇବାକୁ ଦେବାକୁ ଯାଇ ନିଜର ହୋଟେଲକୁ ବନ୍ଧା ରଖିଥିଲେ । ତାଙ୍କର ଏପରି କାର୍ଯ୍ୟରେ ବନ୍ଧୁ ପରିଜନମାନେ ନାପସନ୍ଦ କରିଥିଲେ । ଆଉ ତାଙ୍କୁ କରିଥିଲେ ପରିହାସ । ଏପରି କାମ କରିବାକୁ ମନା କରିଥିଲେ । କିନ୍ତୁ ଯା’ର ମନ ସମାଜ ସେବାରେ ବର୍ତ୍ତି , ତାଙ୍କୁ କିଏ ବା ରୋକି ପାରିବ । ସେ କାହା କଥାକୁ କର୍ଣ୍ଣପାତ ନକରି ନିଜର କାମରେ ଲାଗିଯାଇଥିଲେ । ଆଉ କ୍ୟାନସର ରୋଗୀଙ୍କୁ ମାଗଣାରେ ଖାଇବା ଯୋଗାଇ ଥିଲେ ।

ଆଜି ଏହି ହରକଚାନ୍ଦ ସାଭଲାଙ୍କ ଯୋଗୁଁ ମୁମ୍ବାଇକୁ କ୍ୟାନସର ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟ ମାଗଣାରେ ଖାଇବାକୁ ପାଉଛନ୍ତି । ଆଉ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ସେ ଲୋକଙ୍କ ହୃଦୟରେ ଭଗବାନ ପାଲଟିଯାଇଛନ୍ତି । ଲୋକଙ୍କୁ ସେବା କରିବାର ମନୋବୃତ୍ତି ହରକଚାନ୍ଦଙ୍କ ମନରେ ପିଲାଦିନରୁ ବସା ବାନ୍ଧିଥିଲା । ଏମିତିକି ସ୍କୁଲରେ ପଢିଲା ସମୟରେ ତାଙ୍କୁ ମିଳୁଥିବା ଟଙ୍କାକୁ ସାଇତି ସେ ଗରିବଗୁରୁବାଙ୍କ ସେବାରେ ଖର୍ଚ୍ଚ କରୁଥିଲେ ।

୩୩ବର୍ଷ ପୂର୍ବର ଏକ ଘଟଣା ତାଙ୍କ ମନରେ ଏପରି ଏକ ବଡ ପ୍ରୟାସ ଆରମ୍ଭ କରିବାର ଭାବନା ଦେଇଥିଲା । ଲୋକମାନଙ୍କୁ ସହଯୋଗ କରି ସେତେବେଳକୁ ହରକଚାନ୍ଦ ନିଜ ଅଂଚଳରେ ଖୁବ୍ ପରିଚିତ ହୋଇଯାଇଥିଲେ । ଏକଦା କ୍ୟାନସରରେ ପୀଡିତ ଥିବା ନିଜ ମା’ଙ୍କୁ ଧରି ଝିଅଟିଏ ସାହାଯ୍ୟ ଆଶା କରି ପହଁଚିଥିଲା ହରକଚାନ୍ଦଙ୍କ ନିକଟରେ । ପାଖରେ ଟଙ୍କାର ଅଭାବ ଓ ନୂଆ ସହରର ଭୟ ଝିଅକୁ ଅସହାୟ ବୋଧ କରିଥିଲା । ତାଙ୍କ କଷ୍ଟକୁ ଅନୁଭବ କରି ହରକଚାନ୍ଦ ତାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଇଦେଇଥିଲେ । ଦୁଇମାସର ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ ମହିଳାଜଣକ । କିନ୍ତୁ ହରକଚାନ୍ଦ ତାଙ୍କୁ ବଡ ହସ୍ପିଟାଲକୁ ନନେଇ ଏକ ଛୋଟ ହସ୍ପିଟାଲରେ ଭର୍ତ୍ତି କରାଇଥିବାର ଦୁଃଖରେ ଭାଂଗି ପଡିଥିଲେ । ଝିଅଟିକୁ କ୍ଷମାପ୍ରାର୍ଥନା କରିବା ସମୟରେ ସେ ହରକଚାନ୍ଦଙ୍କୁ ଉତ୍ତରରେ କହିଥିଲେ , ଆପଣ ମୋ ମା’ଙ୍କ ଜୀବନ ବଂଚାଇଛନ୍ତି । ଆପଣ ମୋ ପାଇଁ ଭଗବାନ । ଏହି କଥା ହିଁ ହରକଚାନ୍ଦଙ୍କ ଜୀବନ ବଦଳେଇ ଦେଇଥିଲା ସେ ଚିନ୍ତା କରିଥିଲେ କି ଯଦି ଛୋଟିଆ ସାହାଯ୍ୟରେ ଲୋକଙ୍କ ଜୀବନ ବଦଳିଯାଇପାରୁଛି , ତେବେ କିଛି ବଡ ପ୍ରୟାସ ଆରମ୍ବ କରିବା ଆବଶ୍ୟକ । ସେହି ସମୟରୁ ନିଜ ଜୀବନକୁ କ୍ୟାନସର ରୋଗୀମାନଙ୍କ ସେବାରେ ବିତାଇବେ ବୋଲି ସ୍ଥିର କରିନେଇଥିଲେ ।

ତା’ପରଠାରୁ ପ୍ରାୟ ୧୨ ବର୍ଷ ପର୍ଯ୍ୟନ୍ତ ନିଜ ଘରେ ରୋଷେଇ କରି କ୍ୟାନସର ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟମାନଙ୍କୁ ମାଗଣାରେ ଖାଇବା ଦେଇଥିଲେ । ଧୀରେ ଧୀରେ ଏହି ସଂଖ୍ୟାବୃଦ୍ଧି ପାଇବାରୁ ଅନ୍ୟ ଉପାୟ ନପାଇ ତାଙ୍କ ଅଂଚଳରେ ଖୁବ୍ ନାମକରା ହୋଇତିବା ହୋଟେଲକୁ ବନ୍ଧା ପକାଇ ସେହି ଅର୍ଥରେ ଆରମ୍ବ କରିଥିଲେ ଜୀବନ ଜ୍ୟୋତି କ୍ୟାନସର ରିଲିଫ୍ ଚାରିଟେବୁଲ୍ ଟ୍ରଷ୍ଟ । ଏହି ଟ୍ରଷ୍ଟ ଅଧିନରେ ଏବେ ପ୍ରାୟ ୭୦୦ ଅଭାବୀ କ୍ୟାନସର ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ଖାଇବାକୁ ଦିଆଯାଉଛି । ଏହାସହ ସେମାନଙ୍କୁ ମୁମ୍ବାଇ ପରି ସହରରେ ମାଗଣାରେ ରହିବା ଓ ଔଷଧ ଯୋଗାଇ ଦେବାର ଯୋଜନା ମଧ୍ୟ କରୁଛନ୍ତି । ଏସବୁ ବ୍ୟତୀତ କ୍ୟାନସର ପୀଡିତ ଛୋଟ ପିଲାମାନଙ୍କ ନିମନ୍ତେ ପିକନିକ୍ ଆୟୋଜନ କରାଯିବା ସହ ସେମାନଙ୍କୁ ଖେଳ ସାମଗ୍ରୀ ମଧ୍ୟ ଯୋଗାଇଦିଆଯାଉଛିି । ହରକଚାନ୍ଦଙ୍କ ନିଜର ଶେଷ ଇଚ୍ଛା ବିଷୟରେ କହିବାକୁ ଯାଇ କୁହନ୍ତି କ୍ୟାନସରର ଶେଷ ଅବସ୍ଥାରେ ଥିବା ଲୋକମାନଙ୍କ ନିମନ୍ତେ ଏକ ଘର ନିର୍ମାଣ କରିବା । ଯେଉଁଠାରେ ସେମାନେ ହସଖୁସିରେ ଶେଷ ସମୟ ବିତେଇପାରିବେ ।

ହରକଚାନ୍ଦଙ୍କ ଏଭଳି ମହାନ ସେବାକୁ ନେଇ ଆଜି ସେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତାଙ୍କର ଏଭଳି ଅବଦାନ ପାଇଁ ଅଭାବୀ ମଣିଷର ପ୍ରକୃତ ବନ୍ଧୁ ପାଲଟିଯାଇଛନ୍ତି ।