୧୨ଜଣଙ୍କୁ ଦେଲେ ନୂଆ ଜୀବନ ହେଲେ ବଂଚାଇପାରିଲେନି ନିଜ ଜୀବନ ! କମଲା ମିଲ୍ସ ଅଗ୍ନିକାଣ୍ଡର ରିୟଲ ହିରୋ ବନିଲେ ଦୁଇଭାଇ

36

ମୁମ୍ବାଇର କମଲା ମିଲ୍ସ କମ୍ପାଉଣ୍ଡର ବନ ଅବବ ପବରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଅନେକ ପରିବାରର ହସ ଖୁସିରେ ନିଆଁ ଲଗାଇ ଦେଇଛି । ଏହି ଅଗ୍ନିକାଣ୍ଡରେ ୧୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବଡ କଥା ହେଲା କି ଦୁର୍ଘଟଣା ସମୟରେ କିଏ ନିଜ ଜୀବନକୁ ବଂଚାଇବାକୁ ପ୍ରସାୟ କରୁଥିବା ବେଳେ ଦୁଇ ଜଣ ଯୁବକ କିନ୍ତୁ ମୃତ୍ୟୁକୁ ଖାତିର ନକରି ଫସିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଅଂଟା ଭିଡିଥିଲେ । ତେବେ ଏହି ଦୁଇ ଯୁବକ ବାସ୍ତବରେ ହେଉଛନ୍ତି ଦୁଇ ଭାଇ । ଯିଏକି ମୃତ୍ୟୁକୁ ଭୟ ନକରି ୧୨ ଜଣଙ୍କୁ ନୂଆ ଜୀବନ ଦେଇଥିଲେ ସତ ହେଲେ ନିଜକୁ ବଂଚାଇ ପାରିନଥିଲେ ।

ସୂଚନା ମୁତାବକ, ଆମେରିକାରେ ବସବାସ କରୁଥିବା ଧୈର୍ଯ୍ୟ (୨୬ ବର୍ଷ) ଏବଂ ବିଶ୍ୱ ଲଲାନୀ (୨୨ ବର୍ଷ) ଦୁଇ ଭାଇ ନିଜ ବନ୍ଧୁ ଏବଂ ପରିବାର ସହ ଏହି ରେଷ୍ଟୁରାଂଟକୁ ଡିନର୍ ଖାଇବା ପାଇଁ  ଯାଇଥିଲେ । ତେବେ ଧୈର୍ଯ୍ୟ ଜଣେ ଇଞ୍ଜିନିୟର୍ ଏବଂ ବିଶ୍ୱ ନିକଟରେ ସ୍ନାତକ ହାସଲ କରିଥିଲେ । ପିଉସୀ ଭାରତୀ ଦୋଶୀଙ୍କ ସହ ସେମାନେ ଆମେରିକାରେ ରହୁଥିଲେ ।

ତାଙ୍କ ବାପା ମୁମ୍ବାଇର ମାତୁଙ୍ଗା ଅଞ୍ଚଳରେ କ୍ୟାଟେରିଙ୍ଗ୍ ବ୍ୟବସାୟ କରନ୍ତି । ରେଷ୍ଟୁରାଂଟରେ ବସି ସେମାନେ ଖାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ ଲୋକେ ଜୀବନ ବିକଳରେ ଦୌଡିବାକୁ ଲାଗିଥିଲେ । ଏହି ସମୟରେ କିଛି ଲୋକ ଫସି ମଧ୍ୟ ଯାଇଥିଲେ ଆଉ ଏଥିରେ ଥିଲେ ଧୈର୍ଯ୍ୟ ଏବଂ ବିଶ୍ୱଙ୍କ ବନ୍ଧୁ ଓ ପିଉସୀ ଏବଂ ମାଉସୀ । ତେବେ ଏହି ଭୟଙ୍କର ନିଆଁରୁ ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଦୁହେଁ ନିଜର ଜୀବନ ହାରିଥିଲେ ।

ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିବା ଧୈର୍ଯ୍ୟ ଏବଂ ବିଶ୍ୱଙ୍କ ସଂପର୍କିୟାଙ୍କ କହିବା ମୁତାବକ, ବହୁ ବର୍ଷ ହେବାରୁ ପିଲା ଦୁହେଁ ମୋ ପାଖରେ ଆମେରିକାରେ ରହୁଥିବାରୁ ସେମାନେ ଏଠାରେ ସେମାନଙ୍କ ବନ୍ଧୁବାନ୍ଧବମାନଙ୍କ ସହ ପରିଚୟ କରାଇ ଦେବାକୁ ମତେ ନେଇଥିଲେ । ତେଣୁ ଆମେ ଡିନର୍ ଖାଇବାକୁ ଯିବାକୁ ସ୍ଥିର କରିଥିଲୁ । ସେତେବେଳ କିଛି ଭାବିବାକୁ ବେଳ ନ ଥିଲା। ନିଆଁ ଏଡ଼େ ଯୋରରେ ଚରିଲା ଯେ ସଭିଏଁ ଚିତ୍କାର କରି ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିଲେ । ଧୈର୍ଯ୍ୟ ଏବଂ ବିଶ୍ୱ ମଧ୍ୟ ବାହାରି ଆସିଥିଲେ, କିନ୍ତୁ, ମାଉସୀ ପ୍ରମିଳା ଆସି ପାରି ନ ଥିବାରୁ ତାଙ୍କୁ ଖୋଜିବାକୁ ସେମାନେ ପୁଣି ଭିତରକୁ ଯାଇଥିଲେ ।

ସଫ୍ଟେଓ୍ଵର୍ ଇଞ୍ଜିନିୟର୍ ଧୈର୍ଯ୍ୟ ଦୁଇ ମାସ ଛୁଟି ନେଇ ଆସିଥିଲା । ଆସନ୍ତା ମାସରେ ଆମେରିକା ଯାଇ ପୁଣି ନୂଆ ଚାକିରିରେ ଯୋଗ ଦେଇ ଥାଆନ୍ତା। ତିନି ବର୍ଷ ପରେ ସେ ମୁମ୍ବାଇ ଆସିଥିଲା। ଦୁଇ ଭାଇ ପ୍ରାୟ ୧୨ ଜଣ ଲୋକଙ୍କୁ ନିଆଁ ମଧ୍ୟରୁ ଉଦ୍ଧାର କରିଥିଲେ, କିନ୍ତୁ ନିଜକୁ ରକ୍ଷା କରି ପାରିଲେ ନାହିଁ । ବିଶ୍ୱ ଏବେ ଆମେରିକାରୁ ଫେରି ବାପାଙ୍କ କ୍ୟାଟେରିଙ୍ଗ୍ ବ୍ୟବସାୟରେ ଯୋଗ ଦେଇଥିଲା । ହେଲେ ଏହି ଭୟଙ୍କର ଦୁର୍ଘଟଣା ସବୁକିଛି ଧୂଳିସାତ୍ କରିଦେଇଛି । ଏବେ ଧୈର୍ଯ୍ୟ ଏବଂ ବିଶ୍ୱ ଆଉ ଦୁନିଆରେ ନାହାଁନ୍ତି । ୧୨ଜଣଙ୍କୁ ବଂଚାଇ ଦୁହେଁ ନିଜକୁ ଆଉ ବଂଚାଇପାରିନେଲି । ଆଖି ସାମ୍ନାରେ ଦୁହିଁଙ୍କର ଜୀବନ ଚାଲିଯାଇଥିଲା ।