୧୨ରେ ବାହାଘର, ୩୦ରେ ମୃତ୍ୟୁ ! ପତ୍ନୀଙ୍କ ହାତରୁ ଲିଭିନଥିଲା ମେହେନ୍ଦୀ, ଆଖିଆଗରେ ପରପାରିକୁ ଚାଲିଗଲେ ପତି

72

ହାତରୁ ଲିଭିନଥିଲା ମେହେନ୍ଦୀ, କିନ୍ତୁ ତା ପୂର୍ବରୁ ସବୁକିଛି ଛାରଖାର ହୋଇଗଲା । ଦଇବ ତାଙ୍କ ଉପରେ ଦାଉ ସାଧିଲା । ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ତାଙ୍କ ଜୀବନରେ ଘୋଟିଗଲା ଅନ୍ଧକାରର କଳାବାଦଲ । ନୂଆ ଜୀବନ ଆରମ୍ଭ କରିବାକୁ ସାକ୍ଷୀଙ୍କ ଆଶା ପାଣିଫୋଟକା ପରି ମିଳେଇ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ସାକ୍ଷୀ ମାଥୁରଙ୍କ ସହ ଘଟିଛି । ଯେଉଁ ହାତରୁ ମେହେନ୍ଦୀର ଦାଗ ଲିଭିନଥିଲା ସେହି ହାତରେ ଲାଗିଗଲା ରକ୍ତର ଛିଟା । ସଡକ ଦୁର୍ଘଟଣାରେ ସେ ଦେଖିଥିବା ସବୁ ସ୍ୱପ୍ନ ଧୂଳିସାତ ହୋଇଯାଇଛି । ୧୮ ଦିନ ପୂର୍ବେ ଯାହା ହାତ ଧରି ବିବାହ କରି ସାତଜନ୍ମ ପର୍ଯ୍ୟନ୍ତ ସାଥୀ ହୋଇ ରହିବାର ପ୍ରତିଜ୍ଞା କରିଥିଲେ ସଡକ ଦୁର୍ଘଟଣାରେ ଚାଲିଯାଇଛି ତାଙ୍କ ଜୀବନ ।
dipal 22

ଆଗରା-ଲକ୍ଷ୍ନୌ ଏକ୍ସପ୍ରେସର ଭରତିଆ କୋଠି ନିକଟରେ ହୋଇଥିବା କାର୍ ଦୁର୍ଘଟଣାରେ ଦୀପଲ ସାକସେନାଙ୍କ ଜୀବନ ଚାଲିଯାଇଛି । ଦ୍ରୁତ ଗତିରେ ଯାଉଥିବା କାରର ଦୁଇଟି ଚକା ଫାଟିଯିବା ଫଳରେ କାରଟି ସମ୍ପୂର୍ଣ୍ଣ ଭାବେ ଓଲଟିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୀପଲ ପ୍ରାଣ ହରାଇଥିଲେ । ତେବେ ତାଙ୍କ ପତ୍ନୀ ସାକ୍ଷୀ ମାଥୁର ଓ ମା’ ରଶ୍ମି ଦେବୀ ଗୁରୁତର ଆହତ ହୋଇଛନ୍ତି । ଆଇଆଇଏସରେ କୃତକାଯ୍ୟ ହୋଇଥିବା ଦୀପଲ ମଇ-୨୦୧୮ରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ ନିଯୁକ୍ତି ପାଇଥାନ୍ତେ ।

ନୂଆ ଘରକୁ ସିଫ୍ଟ ହେବା ବାଟରେ ହିଁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ବିବାହ ପରେ ଦୀପଲ ପତ୍ନୀ ଓ ମାଙ୍କ ସହ ନୂଆ ଘରକୁ ସିଫ୍ଟ ହେବା ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ । କିନ୍ତୁ ନୂଆ ଘରେ ପହଞ୍ଚିବା ପୂର୍ବରୁ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଯେଉଁଥିରେ ଦୀପଲଙ୍କ ଜୀବନ ଚାଲିଗଲା । ଦୁର୍ଘଟଣା ପରେ ନିକଟରେ କାମ କରୁଥିବା କିଛି ଲୋକ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇଛନ୍ତି । ତେବେ ଏହି ଘଟଣା ଦୀପଲଙ୍କ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇଛି ।