ୱାଇଫାଇର ସହର ହେଲା ଭୁବନେଶ୍ୱର । ଜାଣନ୍ତୁ କିପରି ବ୍ୟବହାର କରିବେ ମାଗଣା ଇଂଟରନେଟ୍

ବିଏମସି ଅଂଚଳରେ ଲୋକଙ୍କୁ ମାଗଣାରେ ମିଳିବ ଇଂଟରନେଟ୍

590

କନକ ବ୍ୟୁରୋ: ହକି ବିଶ୍ୱକପ ପୂର୍ବରୁ ରାଜଧାନୀ ଭୁବନେଶ୍ୱରେ ଆରମ୍ଭ ହୋଇଛି ୱାଇଫାଇ ସୁବିଧା । ଯାହାଦ୍ୱାରା ବିଏମସି ପରିଧିରେ ରହୁଥିବା ଲୋକମାନଙ୍କୁ ମିଳିବ ମାଗଣା ଇଂଟରନେଟ୍ । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱର ମି ୱାଇଫାଇରେ ଏହି ସେବା ଆରମ୍ଭ ହୋଇଛି । ପୁରା ରାଜଧାନୀକୁ ୱାଇଫାଇ ଭାବେ ଗଢ଼ି ତୋଳିବାକୁ କମ୍ପାନୀ ପକ୍ଷରୁ ୫୦୦ଟି ହଟସ୍ପଟ୍ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ଶହେ ହଟସ୍ପଟ ନିର୍ମାଣ କରାଯିବ । ଏଥିରେ ବ୍ୟବହାରକାରୀଙ୍କୁ ପ୍ରଥମ ଅଧଘଂଟା ମାଗଣା ଇଂଟରନେଟ୍ ସେବା ମିଳିବ ।

ଏହି ସମୟରେ ୨ ଏମବିପିଏସ୍ ସ୍ପିଡରେ ୫୦ ଏମବି ଡାଟା ମିଳିପାରିବ । ଏହା ପରେ ଗ୍ରାହକଙ୍କୁ ଦେୟ ଦେବାକୁ ପଡିବ । ଗୋଟିଏ ୱାଇଫାଇ ହଟସ୍ପଟ୍ ଅଧୀନରେ ସର୍ବାଧିକ ୧୫୦ ଜଣ ବ୍ୟକ୍ତି ଇଂଟରନେଟ୍ ବ୍ୟବହାର କରିପାରିବେ । ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ମହାନଗର କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀରେ ମାଗଣା ୱାଇଫାଇ ସେବା ମିଳିବ । ତେବେ ଏଭଳି ପରିସ୍ଥିତିରେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷକରି ଯୁବପିଢ଼ି ବହୁତ ଉତ୍ସାହିତ ଅଛନ୍ତି।

ମାଗଣାରେ ୱାଇଫାଇ ବ୍ୟବହାର କରିବା ପାଇଁ ସ୍ମାର୍ଟ ଫୋନ୍ କି ଲ୍ୟାପଟପ୍ରେ ୱାଇଫାଇ ଅନ୍ କରିବାକୁ ପଡ଼ିବ। ଏହାପରେ ‘ଭୁବନେଶ୍ବର ମି ୱାଇଫାଇ’ ଦେଖାଇବ। ଏହା ଉପରେ କ୍ଲିକ୍ କଲେ ମୋବାଇଲ୍ ନମ୍ବର ମାଗିବ। ମୋବାଇଲ୍ ନମ୍ବର ଟାଇପ୍ କରିବା ପରେ ଆପଣଙ୍କ ନମ୍ବରକୁ ଗୋଟିଏ ଓଟିପି ଆସିବ। ଏହାକୁ ଟାଇପ୍ କଲେ ଆପଣ ୱାଇଫାଇରେ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ପ୍ରଥମ ଅଧଘଣ୍ଟା ପର‌୍ୟ୍ୟନ୍ତ ୨ଏମବିପିଏସ୍ ସ୍ପିଡରେ ୨୫୦ଏମବି ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ। ଏବେ ଯେଉଁଠି ବି ୱାଇଫାଇ ଆସେସ୍ ପଏଣ୍ଟ ଅଛି ତା’ର ୧୦୦ରୁ ୨୦୦ମିଟର କିମ୍ବା ସର୍ବାଧିକ ୩୦୦ମିଟର ପର‌୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଗୋଟିଏ ହଟ୍ସ୍ପଟ୍ ଅଧୀନରେ ଏକସଙ୍ଗେ ୧୫୦ଜଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ୩୦ମିନିଟ୍ ପରେ ଇଣ୍ଟରନେଟ୍ ସଂଯୋଗ ଆପେଆପେ କଟିଯିବ। ଏହାପରେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ।

ଇଣ୍ଟରନେଟ୍ ସବୁଠି କୋଣ ଅନୁକୋଣରେ ଉପଲବ୍ଧ ହେବ ନାହିଁ। ଉଦାହରଣ ସ୍ବରୂପ ଗୋଟିଏ ବଡ଼ ପାର୍କରେ ଇଣ୍ଟରନେଟ୍ କୋଣ ଅନୁକୋଣରେ ପାଇବାକୁ ହେଲେ ୩ରୁ ୪ଟି ଆସେସ୍ ପଏଣ୍ଟ ଥିବା ଦରକାର। ଗୋଟିଏ ସରକାରୀ କାର‌୍ୟ୍ୟାଳୟ ପାଇଁ ୩ଟି ଆସେସ୍ ପଏଣ୍ଟ ରହିଲେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଯଦି ଏହିଭଳି ସୁବିଧା ନଥିବ ତେବେ ଗୋଟିଏ ଅଞ୍ଚଳରେ ଆସେସ୍ ପଏଣ୍ଟ ଥିଲେ ବି ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ ନାହିଁ।