ସମାଜବାଦୀ ପାର୍ଟି ନେତାଙ୍କ ଘରେ ମାରାଥନ୍ ରେଡ୍ । ୧୫ ଘଣ୍ଟାରେ ମିଳିଲା ମାତ୍ର ୧୭ ହଜାର ଟଙ୍କା

159

କନକ ବ୍ୟୁରୋ: ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହା ଉପରେ ପ୍ରତ୍ୟେକ ପାର୍ଟି ଜିତାପଟ ମାରିବାକୁ ବିଭିନ୍ନ ରଣକୌଶଳ ଆପଣାଉଛନ୍ତି । ଏହି କ୍ରମରେ ଆରମ୍ଭ ହୋଇଯାଇଛି ମାରାଥନ୍ ରେଡ୍ । ପୁଣି ସମାଜବାଦୀ ପାର୍ଟିର ନେତାଙ୍କ ଘରେ ।

ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏପରି ସ୍ଥିତିରେ ବିଭିନ୍ନ ପାର୍ଟି ପରସ୍ପର ଉପରେ ବଳ କଷିବାରେ ଲାଗିଛନ୍ତି । ଏବେ ଟାର୍ଗେଟରେ ସମାଜବାଦୀ ପାର୍ଟି । ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକାଧିକ ଘନିଷ୍ଠ ସହଯୋଗୀଙ୍କ ଘରେ ଆରମ୍ଭ ହୋଇଛି ମାରାଥନ୍ ରେଡ୍ । ପାର୍ଟି ପ୍ରବକ୍ତା ତଥା ସମାଜବାଦୀ ପାର୍ଟିର ରାଷ୍ଟ୍ରିୟ ସଚିବ ରାଜୀବ ରାୟଙ୍କ ଘରେ ତନଘନା କରିଛି ଆୟକର ବିଭାଗ । ହେଲେ ଆଶ୍ଚର୍ଯ୍ୟର ଘଟଣା ହେଉଛି ୧୫ ଘଣ୍ଟା ଧରି ଯାଞ୍ଚ କରିବା ପରେ ଆୟକର ଅଧିକାରୀଙ୍କୁ ମିଳିଛି ମାତ୍ର ୧୭ ହଜାର ଟଙ୍କା ।

ରାଜୀବ ରାୟଙ୍କ ସମ୍ପର୍କୀତ ୫ଟି ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଛି । ଶନିବାର ସକାଳୁ ଆରମ୍ଭ ହୋଇଥିବା ଏହି ରେଡ୍ ରାତିରେ ଶେଷ ହୋଇଥିଲା । ମାଉ ଜିଲ୍ଲାରେ ଥିବା ତାଙ୍କ ବାସଭବନରେ ପରିବାର ଲୋକଙ୍କୁ ବନ୍ଧକ ରଖି ଏହି ରେଡ ଆରମ୍ଭ ହୋଇଥିଲା । ତାଙ୍କର ସବୁ ଫୋନ୍ ସମ୍ପର୍କକୁ ବନ୍ଦ କରାଯିବା ସହ ତାଙ୍କର ସମସ୍ତ ସୋସିଆଲ ସାଇଟକୁ ମଧ୍ୟ ଯାଂଚ କରିଛି ଆୟକର ବିଭାଗ । ଏକଥା ନିଜେ ରାଜୀବ ରାୟ ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ ଏହାକୁ ମୋଦୀ ସରକାରଙ୍କ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ରାଜୀବ ରାୟ । ଯେତେ ରେଡ କରାଇଲେ ବି ତାଙ୍କ ବିରୋଧରେ କୌଣସି ଆପତ୍ତିଜନକ ତଥ୍ୟ ମିଳିବ ନାହିଁ । କାରଣ ତାଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିଲା, ନାହିଁ କି ଆଗକୁ ମଧ୍ୟ ରହିବ ନାହିଁ । ତେଣୁ ସତ୍ତାରେ ଥିବା ସରକାର ଯେତେ ଷଡଯନ୍ତ୍ର କଲେ ବି କିଛି ଲାଭ ହେବ ନାହିଁ ବୋଲି କହିଛନ୍ତି ରାଜୀବ ରାୟ ।

ଅନ୍ୟପଟେ ନିଜ କର୍ମକର୍ତ୍ତାଙ୍କୁ ଅଯଥାରେ ହଇରାଣ କରୁଥିବାରୁ ବର୍ଷିଛନ୍ତି ଅଖିଳେଶ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ବୋଧହୁଏ ଭୁଲିଗଲେଣି ଯେ ତାଙ୍କ ଦଳର ଅଜୟ ମିଶ୍ରାଙ୍କ ବିରୋଧରେ କେତେବଡ କେଳେଙ୍କାରୀ ରହିଛି । ମୋଦୀ ସରକାର କେନ୍ଦ୍ର ଏଜେନ୍ସି ଦ୍ୱାରା ସମାଜବାଦୀ ପାର୍ଟି, ପାର୍ଟି ବିଧାୟକ, ନେତା, ଓ କର୍ମକର୍ତ୍ତାଙ୍କୁ ଡରେଇବାକୁ ଚେଷ୍ଟା କରୁଛନ୍ତି ।