ରୋଜଗାରିଆ ପୁଅକୁ ମାଡି ବସିଛି ମେରୁଦଣ୍ଡ ଜନିତ ରୋଗ: ଗୋଟିଏ ଝୁପୁଡି ଘରେ ୧୪ ବର୍ଷ ହେଲା ଭୋଗୁଛନ୍ତି ଯନ୍ତ୍ରଣା

54

କନକ ବ୍ୟୁରୋ: ଏକମାତ୍ର ରୋଜଗାରିଆ ପୁଅ ବିଛଣାରେ। ୧୪ବର୍ଷ ଧରି ଗୋଟିଏ ଝୁପୁଡି ଘର ଭିତରେ ଜୀବନ କାଟୁଛି ଅସହାୟ ରୋଗାଗ୍ରସ୍ତ ଯୁବକ। ଅନ୍ୟପଟେ ବୃଦ୍ଧ ବୃଦ୍ଧା ବାପା ଓ ମା ପୁଅର ଚିକିତ୍ସା ପାଇଁ ଅନେକ ଉଦ୍ୟମ କରବା ପରେ ଏବେ କେବଳ ଭଗବାନ ଓ ସରକାର ଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଇଛନ୍ତି ଏହି ଵୃଦ୍ଧ ଦମ୍ପତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡେରିକି ପଞ୍ଚାୟତରେ।

ପୁଅକୁ ବଙ୍କା କରି ଦେଇଛି ମେରୁଦଣ୍ଡ ଜନିତ ରୋଗ । ୧୪ ବର୍ଷ ହେଲା ଝୁପୁଡି ଘରେ ଜୀବନ ଯନ୍ତ୍ରଣା ସହ ଜୁଝି ହେଉଛନ୍ତି ଘରର ରୋଜଗାରିଆ ପୁଅ । ପରିଣତ ବୟସରେ ପୁଅକୁ ଆଶାବାଡି କରି ବଂଚିବାକୁ ଚାହୁଁଥିବା ବୁଢା ବାପାମାଆ ଏବେ ଭେଣ୍ଡିଆ ପୁଅର ଆଶାବାଡି ସାଜିଛନ୍ତି । ଏହି ରୋଗାଗ୍ରସ୍ତ ଯୁବକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବାଲିକଣ ଗାଁର ତପନ ଜେନା ।
ତପନ ରାଜ୍ୟ ବାହାରେ କାମ କରି ବାପା-ମାଆଙ୍କୁ ପୋଷୁଥିଲେ । ୨୦୦୮ରେ ହଠାତ୍ ମେରୁଦଣ୍ଡ ଜନିତ ରୋଗର ଶିକାର ହେଲେ । ଆଉ ସେବେଠୁ ତାଙ୍କ ଜୀବନକୁ ଢାଙ୍କି ଦେଇଛି ଦଃଖର କଳାହାଣ୍ଡିଆ ବାଦଲ । ଚିକିତ୍ସା ବାବଦରେ ଅଭାବୀ ପରିବାର ନିଜର ସବୁ ସାମର୍ଥ୍ୟ ସାରିବା ପରେ ଏବେ ପୁଅକୁ ଘରେ ରଖିଛନ୍ତି । ୮୨ ବର୍ଷିୟ ବାପା ଓ ୭୫ ବର୍ଷିୟ ମାଆ ପୁଅର ସେବା କରୁଥିବା ବେଳେ ଆର୍ଥିକ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି ।
ତପନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ନାଉଗାଁ ବିଡିଓ ମୁହଁ ଖୋଲୁ ନଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ତାଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବ ସ୍ୱାସ୍ଥ୍ୟ ବିଭାଗ ।