ମାସେ ହେଲା ଗାଁରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ପାଣି ପାଇଁ ଘରଠାରୁ ୧ କିମି ଦୂରକୁ ଯାଉଛନ୍ତି ମହିଳା

39

କନକ ବ୍ୟୁରୋ: ସାହିରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ । ପାଣି ପାଇଁ ଗାଁ ଠାରୁ ୧ କିଲୋମିଟର ଦୂର ଜଙ୍ଗଲ ନିକଟରେ ଥିବା ଗାଡିଆ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ପରିବାରର ଚାହିଦା ଅନୁସାରେ ପାଣି ସଂଗ୍ରହ ପାଇଁ ମହିଳାମାନେ ହାତରେ ଗରା ବାଲଟି ଧରି ଘରୁ ବାହାରି ଯାଆନ୍ତି । ଗାଁ ନିକଟ ଜଙ୍ଗଲ ଭିତରେ ଥିବା ଗାଡିଆରେ ଚୁଆ ଖୋଳି ପାଣି ଆଣୁଛନ୍ତି । ଆପଣମାନେ ଦେଖୁଛନ୍ତି, ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବେଲବସନ୍ତ ମାଝୀସାହି ଗାଁର ଚିତ୍ର । ଗାଁରେ ୪୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ମାସେ ହେଲା ଜଳ ପ୍ରକଳ୍ପ ଅଚଳ ହୋଇଯାଇଛି । ନଳକୂପ ମଧ୍ୟ ଅଚଳ । ତେଣୁ ପାଣି ପାଇଁ ମହିଳାଙ୍କୁ ଗୋଟିଏ କିଲୋମିଟର ରାସ୍ତା ଚାଲିବାକୁ ପଡୁଛି । କଂସା କଂସା କରି ପାଣି ଆଣି ଗରା ଭର୍ତି କରୁଛନ୍ତି । ଚୁଆ ପାଣିକୁ କପଡା ସାହାଯ୍ୟରେ ଛାଣି ପିଉଛନ୍ତି । ସବୁ ଦିନ ରାତି ପହିଲେ ଲୋକମାନେ ପାଣି ପାଇଁ ଏହି ଭଳି କସରତ କରୁଛନ୍ତି । ଏହି ଖବର ସଂପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି ଅଭିଯୋଗ ଆସିଛି ତୁରନ୍ତ ଜଳ ସମସ୍ୟା ଦୂର କରାଯିବ ।