ପୁଅ ନାହିଁ, ପଡିଛି ହୁଇଲ୍ ଚେୟାର: ପୁଅ ମୃତ୍ୟୁ ପାଇଁ ସରକାରୀ ଭତ୍ତା ଟଙ୍କାକୁ ଦାୟୀ କଲେ ବାପା ମା

144

କନକ ବ୍ୟୁରୋ: ପୁଅ ନାହିଁ ପୁଅର ହୁଇଲ୍ ଚେୟାର ପଡିଛି । ହୁଇଲ ଚେୟାର ପାଖରେ ବସି ବାପା ଆଖିରୁ ଲୁହ ଗଡାଉଛନ୍ତି । ପୁଅର ଫଟୋକୁ ଧରି ମାଆ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆଉ ପୁଅ ମୃତ୍ୟୁ ପାଇଁ ସରକାରୀ ଭତା ଟଙ୍କାକୁ ଦାୟୀ କରିଛନ୍ତି । ଭତା ଟଙ୍କା ନମିଳିବାରୁ ପୁଅର ଔଷଧ କିଣି ପାରିଲେ ନାହିଁ । ୫ ମାସ ଧରି ଔଷଧ ନଖାଇ ଦିବ୍ୟାଙ୍ଗ ନାବାଳକ ପୁଅ ସବୁ ଦିନ ପାଇଁ ଆଖି ବୁଝିଦେଲା । ବାପା-ମାଆଙ୍କ କୋଳ ଶୂନ୍ୟ ହୋଇଗଲା । ଏମିତି ଦୁଃଖଦ କାହାଣୀ ହେଉଛି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ସୌଭାଗ୍ୟଦେଇପୁର ରମେଶ ଦେହୁରୀଙ୍କର । ରମେଶଙ୍କର ୧୧ ବର୍ଷିୟ ପୁଅ ଭୋଳାଶଙ୍କର ଆଉ ଏ ଦୁନିଆରେ ନାହିଁ । ୯୦ ପ୍ରତିଶତ ଦିବ୍ୟାଙ୍ଗ ପୁଅ ବାପାମାଆଙ୍କ ଆଖୀର ଜ୍ୟୋତି ଥିଲା ।

ବାପା ଘର ପାଖ ମନ୍ଦିରରେ ଫୁଲ ଓ ବେଲପତ୍ର ବିକ୍ରି କରି ସ୍ତ୍ରୀ ଓ ପୁଅ ମୁହଁରେ ଦାନା ଦେଉଥିଲା । ପୁଅକୁ ମିଳୁଥିବା ୭ଶହ ଟଙ୍କାର ଭିନ୍ନକ୍ଷମ ଭତାରେ ତା’ପାଇଁ ଔଷଧ କିଣୁଥିଲେ । ହେଲେ ୫ ମାସ ହେଲା ଭତା ଟଙ୍କା ଦେବା ବନ୍ଦ କରିଦେଲେ ବିଭାଗୀୟ ଅଧିକାରୀ । ଭୋଳାଶଙ୍କରଙ୍କୁ ଭତା ମିଳିଲା ନାହିଁ । ତେଣୁ ବାପା ଔଷଧ ଆଣି ପାରିଲେ ନାହିଁ । ଔଷଧ ଖାଇନପାରି ଭୋଳା ଅସୁସ୍ଥ ହୋଇପଡିଲା, ଶେଷରେ ଆରପାରିକୁ ଚାଲିଗଲା ବୋଲି ବାପା-ମାଆ ଅଭିଯୋଗ କରିଛନ୍ତି । ଯଦି ଏମାନଙ୍କ ଅଭିଯୋଗ ସତ ହୋଇଥାଏ, ତେବେ କାହିଁକି ଭୋଳଶଙ୍କରର ଭତା ବନ୍ଦ କରାଯାଇଥିଲା । କାହା ନିର୍ଦେଶରେ ଭିନ୍ନକ୍ଷମ ଭତା ଟଙ୍କା ଦିଆଗଲାନାହିଁ । ଏବେ ଏଭଳି ପ୍ରଶ୍ନ ଉଠିଛି । ସେପଟେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରାଯିବ କହି ନିଜ ମୁଣ୍ଡରୁ ସବୁ ଦୋଷ ଖସେଇ ଦେଇଛନ୍ତି କପ୍ତିପଦା ବିଡିଓ ।