କଅଁଳ ବୟସରେ କ୍ୟାନସର ବୋଝ: ଖେଳିବା ବୁଲିବା ସମୟରେ ମାରାତ୍ମକ ରୋଗ ଯନ୍ତ୍ରଣା ଭୋଗୁଛନ୍ତି କୁନି ପୁଅ ସୌରଭ

114

କନକ ବ୍ୟରୋ: କଅଁଳ ବୟସରେ ରୋଗ ଯନ୍ତ୍ରାଣାର ବୋଝ । ଯେଉଁ ବୟସରେ ସାଙ୍ଗସାଥୀଙ୍କ ସହ ସମୟ ବିତାଇବା କଥା ସେହି ବୟସରେ କ୍ୟାନସର ଭଳି ମାରତ୍ମକ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛି କେନ୍ଦ୍ରାପଡ଼ାର ୧୦ ବର୍ଷର ପୁଅ ସୌରଭ । ଏପଟେ ପୁଅକୁ ଚିକିତ୍ସା କରାଇବା ପାଇଁ ବାପା ମା’ଙ୍କ ପାଖରେ ଅର୍ଥ ସାଜିଛି ବାଧକ । ଘର ଘର ବୁଲି ଭିକ ମାଗୁଛି ମା’ । କରଣ କିଛି ଅର୍ଥ ଯୋଗାଡ଼ କଲେ ପୁଅର ଚିକିତ୍ସା କରାଇବେ । କେନ୍ଦ୍ରାପଡ଼ା ଆଳି ବ୍ଲକ ଅନ୍ତର୍ଗତ ମହୁ ଗାଁର ଗଜେନ୍ଦ୍ର ମଲ୍ଲିକ ଓ ଦେବକୀ ମଲ୍ଲିକଙ୍କ ପୁଅ ସୌରଭ । ଗତ ୬ ମାସ ତଳେ ସୌରଭକୁ ଜର ହୋଇଥିଲା । ସାଧାରଣ ଜର ଭାବି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ ବାପା-ମା’ ।

ହେଲେ ଜର ନକମିବାରୁ କଟକ ନେଇ ରକ୍ତ ପରୀକ୍ଷା କରିବା ପରେ ତାଙ୍କୁ ବ୍ଲଡ଼ କ୍ୟାସନର ହୋଇଥିବା ଜଣାପଡ଼ିଥିଲା । ଆଉ ଏହି ଖବର ଶୁଣି ବାପା-ମା’ଙ୍କ ପାଦତଳୁ ଯେମିତି ମାଟି ଖସିଯାଇଥିଲ । କାରଣ ପୁଅର ଚିକିତ୍ସା କରାଇବା ପାଇଁ ଏତେ ଟଙ୍କା ଆସିବ କେଉଁଠୁ । ବାପା ଗଜେନ୍ଦ୍ର ଏକ ଘରୋଇ କମ୍ପାନୀରେ ଠିକା କର୍ମଚାରୀ ଭାବେ କାମ କରନ୍ତି । ଚିକିତ୍ସା ପାଇଁ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନୁହେଁ । ପାଖରେ ଯାହା କିଛି ଅର୍ଥ ଥିଲା ଏବଂ ଧାର କରଜ କରି ପୁଅକୁ ଚିକିତ୍ସା କରାଇସାରିଲେଣି ବାପା-ମା’ । ଆଉ ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ । ଗଜେନ୍ଦ୍ର କମ୍ପାନୀ କାମ ଛାଡ଼ି ଘରକୁ ଆସିବା ପରେ ଏବେ ପରିବାର ଚଳିବା ବି କଷ୍ଟକର । ତେଣୁ କିଛି ସହୃଦୟ ବ୍ୟକ୍ତି ଚିକିତ୍ସା ପାଇଁ କିଛି ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ସୌରଭଙ୍କ ବାପା ମା’ । ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିବା ସୌରଭ ବଡ଼ ହେଲେ ଜଣେ ଡାକ୍ତର ହେବାର ସ୍ୱପ୍ନ ରଖିଛନ୍ତି କିନ୍ତୁ କ୍ୟାନସର ରୋଗ ଏବେ ତାଙ୍କ ସ୍ୱପ୍ନରେ ବାଧକ ସାଜିଛି । ତେଣୁ କିଭଳି ପୁଅକୁ ଏହି ରୋଗରୁ ଭଲ କରିବେ ତାକୁ ନେଇ ବାପା-ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ । ଚିନ୍ତାରେ ଘରେ ଚୁଲି ଜଳୁନାହିଁ । ପୁଅକୁ ଭଲ କରିବା ପାଇଁ କାନି ପତାଇ ଘର ଘର ବୁଲି ଭିକ ମାଗୁଛି ମା’ ।